ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରବିବାର ଆଇଆଇଟି ଗାନ୍ଧିନଗରରେ ଅନୁଷ୍ଠିତ ‘ଜି-୨୦ ସିଙ୍ଗାପୁର ଭାରତ ହକାଥନ-୨୦୨୩’ର ତୃତୀୟ ସଂସ୍କରଣରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲାରେନ୍ସ ଓଙ୍ଗ୍ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମାଜର ଆହ୍ୱାନ ଗୁଡିକର ସମାଧାନର ସୂତ୍ର ଅନ୍ୱେଷଣ କରିବା ଦିଗରେ ହକାଥନକୁ ଆଗକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସର୍ବଭାରତୀୟ ବୈଷୟିକ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ନାନୟାଙ୍ଗ୍ ଟେକ୍ନୋଲୋଜିକାଲ ବୈଷୟିକ ବିଶ୍ୱବିଦ୍ୟାଳୟ(ଏନଟିୟୁ) ପକ୍ଷରୁ ଏହି ହକାଥନର ତୃତୀୟ ସଂସ୍କରଣ ଆୟୋଜିତ ହୋଇଥିଲା ।
ଏହି ସମାରୋହରେ ଉଭୟ ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ସମାଧାନ ସୃଷ୍ଟି କରିବା ପାଇଁ ସହଯୋଗ କରୁଥିବା ହକାଥନର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପ୍ରଧାନ ହକାଥନରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏବଂ ଷ୍ଟାର୍ଟଅପ୍ ସହ ଆଲୋଚନା କରିଥିଲେ । ନବନୃଜନ ଏବଂ ଉଦ୍ୟମିତା ମାଧ୍ୟମରେ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ଏବଂ ବିଶ୍ୱକୁ ଏକ ସର୍ବଶ୍ରେଷ୍ଠ ସ୍ଥାନରେ ରଖିବା ଦିଗରେ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ସିଙ୍ଗାପୁର-ଭାରତ ହକାଥନ ୨୦୨୩ର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ଏହିଭଳି ହକାଥନ ଜ୍ଞାନ ବିନିମୟକୁ ସୁଗମ କରିବା ଏବଂ ଉଭୟ ଦେଶର ଯୁବବର୍ଗଙ୍କ ଲୁକ୍କାୟିତ ସାମର୍ଥ୍ୟକୁ ପ୍ରସ୍ଫୁଟିତ କରିବାର ଏକ ଉତ୍ତମ ମାଧ୍ୟମ । ଜ୍ଞାନଶକ୍ତି, ଗବେଷଣା, ନବସୃଜନ ମାଧ୍ୟମରେ ଭାରତ ଓ ସିଙ୍ଗାପୁର ଭବିଷ୍ୟତ ପାଇଁ ବିଶ୍ୱର କଲ୍ୟାଣକୁ ଆଗେଇ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ।