‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ ଢ଼େଙ୍କାନାଳ ଜିଲ୍ଲାର ଭୁବନ ଠାରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପଦଯାତ୍ରା ମାଧ୍ୟମରେ ଶ୍ରୀ ପ୍ରଧାନ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଅନ୍ତର୍ଗତ ଆସନ୍ତା ଅଗଷ୍ଟ ୧୩ ରୁ ୧୫ ଯାଏଁ ତିନି ଦିନ ଧରି ଘରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କୁ ନିବେଦନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢ଼େଙ୍କାନାଳର ଭୁବନ ଠାରୁ ଶହୀଦ ବାଜି ରାଉତଙ୍କ ପବିତ୍ର ଜନ୍ମମାଟି ନୀଳକଣ୍ଠପୁର ପର୍ଯ୍ୟନ୍ତ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଥିଲେ । ‘ଶହୀଦ ବୀର ବାଜି ରାଉତ ସ୍ମୃତିପୀଠ’ ପରିସରରେ ଏହି ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶହୀଦ ବାଜି ରାଉତ ବ୍ରିଟିଶ ଶାସନ ଆଗରେ ମଥା ନ ନୁଆଇଁ ଦେଶ ମାତୃକା ପାଇଁ ବଳିଦାନ ଦେଇଥିଲେ । ତାଙ୍କ ଭଳି ଅନେକ ସଂଗ୍ରାମୀଙ୍କ ବଳିଦାନ କାରଣରୁ ଆଜି ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିଛି । ଏଭଳି ନେତୃତ୍ୱଙ୍କୁ ମନେ ପକାଇବା ପାଇଁ ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛୁ । ଏହି ପରିପ୍ରେକ୍ଷୀରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି, ଧର୍ମ ଓ ଦଳ ମତ ନିର୍ବିଶେଷରେ ଆସନ୍ତା ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।

‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବା ଏବଂ ଏଥିପାଇଁ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି । ସେ କହିଛନ୍ତି ସମସ୍ତେ ଦେଶଭକ୍ତିର ଭାବନାରେ ଏହି ଅଭିଯାନରେ ଓତପ୍ରୋତଃ ଭାବେ ସାମିଲ ହେବା । ଅଗଷ୍ଟ ୧୩ରୁ ୧୫ ଯାଏଁ ଉତ୍ସାହର ସହ ନିଜ ଘରେ ଜାତୀୟ ପତାକା ଲଗାଇବା ଏବଂ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ସହ ଅଭିଯାନକୁ ସଫଳ କରିବା ପାଇଁ ସଂକଳ୍ପ ନେବା ।

ଏହି କାର୍ଯ୍ୟକ୍ରମ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢ଼େଙ୍କାନାଳ ଜିଲ୍ଲା ସଦର ମହକୁମାରେ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୯୧ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଥିଲେ । ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ, ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ୭୫ ଐତିହାସିକ ରେଳ ଷ୍ଟେସନକୁ ଦେଖିବା ଓ ସାଧାରଣ ଲୋକ ମାନଙ୍କ ମନର କଥାକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଲୋକ ଉତ୍ସବ, ଜନସହଭାଗୀତା, ସଫଳ ମହୁମାଛି ବ୍ୟବସାୟୀ, ଅଭିନବ ଉପାୟରେ ଅର୍ଥ ଉପାର୍ଜନ ଏବଂ ବିଶେଷତଃ ଭାରତୀୟ ଖେଳନାର ବଢ଼ୁଥିବା ବ୍ୟବସାୟିକ ଚାହିଦା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି । ଭାରତର ଲୋକ ପରମ୍ପରା ବିଶ୍ୱ ସ୍ତରକୁ ନେବାରେ ପିଏମ ମନ କି ବାତ୍ ଗୋଟିଏ ବଡ଼ ମାଧ୍ୟମ । ପିଏମ ମନ୍ କି ବାତ୍ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଦେଇଛି । ମନ କି ବାତ୍ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆମେ ସମସ୍ତେ ସ୍ୱପ୍ନର ଭାରତ ନିର୍ମାଣ କରିବା ପାଇଁ କର୍ତ୍ତବ୍ୟ ପଥରେ ଅଗ୍ରସର ହେବା ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ ଢ଼େଙ୍କାନାଳ ଜିଲ୍ଲାର ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’(ଡ଼ିଆଇଇଟି) ପରିଦର୍ଶନ କରିଥିଲେ । ଶିକ୍ଷକ ମାନଙ୍କ ସହ ନୂଆ ଜାତୀୟ ଶିକ୍ଷା ନୀତି ସହ ସମ୍ବନ୍ଧିତ ବିଷୟରେ ଆଲୋଚନା କରିଥିଲେ । ବିଶେଷ ଭାବରେ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷାଦାନ, ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା କରିଥିଲେ । ସ୍କୁଲ ପାଠ୍ୟ ଖସଡ଼ାରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀ ମାନଙ୍କ ବୀରତ୍ୱ ଗାଥାର କାହାଣୀ, ଭଦ୍ରକର ଇରମ ଗୁଳିକାଣ୍ଡ, ବାଲେଶ୍ୱରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଏବଂ ଓଡ଼ିଶାର ପାହାଡ଼ ଜଙ୍ଗଲର ସୌନ୍ଦର୍ଯ୍ୟତା ଓ ସାଂସ୍କୃତିକ ଐତିହ୍ୟକୁ ସ୍ଥାନ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.