ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାମଲୀଳାରେ ଅଭିନୟକରିବେ କେନ୍ଦ୍ରମନ୍ତ୍ରୀ । କ୍ୟାବିନେଟ୍ ମନ୍ତ୍ରୀ ତଥା ଟିଭି କଳାକାରମାନେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ୧୦ ଦିନ ବ୍ୟାପୀ ରାମଲୀଳାରେ ଅଭିନୟ କରିବାକୁ ଯାଉଛନ୍ତି। ଆଜିଯାଏ ଯେତେ ରାମଲୀଳା ହୋଇଛି ଏହା ସେସସ୍ତଙ୍କ ମଧ୍ୟରେ ସବୁଠାରୁ ବଡ଼ ହେବ ବୋଲି ଆୟୋଜକମାନେ ଦାବି କରିଛନ୍ତି।
ସେପ୍ଟେମ୍ବର ୨୬ରୁ ଲାଲକିଲ୍ଲା ପଡ଼ିଆରେ ଶ୍ରୀରାମଙ୍କ ଲୀଳା ଆଧାରିତ ଅଭିନୟ ଆରମ୍ଭ ହୋଇ ଦଶହରା ବେଳକୁ ଶେଷ ହେବ। ଦଶହରାରେ ବାହୁବଳୀର ହିରୋ ପ୍ରଭାସ ରାବଣପୋଡ଼ିରେ ରାବଣଙ୍କ କୁଶପୁତ୍ତଳିକାରେ ଅଗ୍ନି ସଂଯୋଗ କରିବେ। ଲବକୁଶ ରାମଲୀଳା ସମିତିର ଅଧ୍ୟକ୍ଷ ଅର୍ଜୁନ କୁମାରଙ୍କ କହିବା ଅନୁସାରେ କମିଟି ପକ୍ଷରୁ ରାମଲୀଳା ସ୍ଥଳରେ ସବୁଜ ଗାଲିଚା ଓ ଫୁଲକୁଣ୍ଡଗୁଡ଼ିକ ସହ ‘କର୍ତ୍ତବ୍ୟପଥ’ର ଏକ ମଡେଲ ରଖାଯିବ। ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ୭୫ଟି ଜାତୀୟ ପତାକାରେ କ୍ଷେତ୍ରଟିକୁ ସୁସଜ୍ଜିତ କରାଯିବ। ମୁଖ୍ୟ ପ୍ରବେଶପଥରେ ରାମଙ୍କର ଏକ ବିରାଟ ଛବି ରହିବ ଏବଂ ଏହାକୁ ରାମଦ୍ବାର କୁହାଯିବ।
ଦରିଆଗଞ୍ଜ ପଟରୁ ଯେଉଁମାନେ ଆସିବେ ସେମାନଙ୍କୁ ଏଇଠି ସ୍ବାଗତ କରାଯିବ। ଅନ୍ୟ ଦ୍ବାରର ନାମ ରହିବ ନେତାଜୀ ସୁଭାଷଚନ୍ଦ୍ର ବୋଷ ଦ୍ବାର ଏବଂ ସେଠି ନେତାଜୀଙ୍କ ଇଣ୍ଡିଆ ଗେଟ୍ ପରି ପ୍ରତିକୃତି ରହିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଦଶହରାକୁ ନିମନ୍ତ୍ରଣ କରାଯାଇଛି ଏବଂ ସେମାନଙ୍କ ସ୍ବୀକୃତିକୁ ଅପେକ୍ଷା କରାଯାଇଛି ବୋଲି କୁମାର କହିଛନ୍ତି। ଏହାକୁ ଦେଖିବାକୁ ପ୍ରବଳ ଲୋକଙ୍କ ଜନସମାଗମ ହେବ ବୋଲି ଅନୁମାନ କରାଯାଉଛି ।