ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ନେଇ ପୁଣି ଥରେ ଦେଖାଦେଇଛି ବିବାଦ । ଏଥର ସରକାରୀ ଅଧିକାରୀଙ୍କୁ ଡକାୟତ ସହ ତୁଳନା କରି ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ସରକାରୀ ଅଧିକାରୀଙ୍କୁ ମାଡମାରିଥିବା ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି । ଏବେ ଡକାୟତ ବୋଲି ଆକ୍ଷେପ କରି ବିବାଦକୁ ଆହୁରି ତେଜିଛନ୍ତି ବିଶେଶ୍ୱର । ଶନିବାର ଦିନ ବାଲେଶ୍ୱରର ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସେ ଯୋଗ ଦେଇଥିଲେ । ଏହି ଅବସରରେ ବାବୁଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ । ବାଲିଆପାଳରେ ଏଭଳି ବୟାନ ଦେଇ ପୁଣିଥରେ ବିବାଦୀୟ ହୋଇ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଜଣେ କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ଶୋଭନୀୟ ବୋଲି କହିଛନ୍ତି ବୁଦ୍ଧିଜୀବୀ । ସେପଟେ ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର କହିଛନ୍ତି, ରାଜ୍ୟରେ ଏବେ ଯେଉଁ ବାବୁ ପ୍ରଥା ଚାଲିଛି, ତାହାକୁ ନଜରରେ ରଖି କେନ୍ଦ୍ରମନ୍ତ୍ରୀ ଏଭଳି କହିଥାଇ ପାରନ୍ତି । ସରକାରୀ ଅଧିକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ରଖି ଆସିଛନ୍ତି ମୟୂରଭଂଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଜନ ପ୍ରତିନିଧିଙ୍କୁ ଅଧିକାରୀ ସମ୍ମାନ ଜଣାଉନଥିବା ନେଇ ଅନେକ ଥର ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ସରକାରୀ ଅଧିକାରୀଙ୍କୁ ମାଡ ମାରିବା କହି ବିବାଦରେ ରହିଥିବା ବେଳେ ଏବେ ଡକାୟତ ସହ ତୁଳନା, ବିବାଦରେ ଘିଅ ଢ଼ାଳିବା ସଦୃଶ୍ୟ ହୋଇଛି ।
ପୂର୍ବରୁ ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ୨୫ ବର୍ଷର ଶାସନ ସେବା ନୁହେଁ ବରଂ ଲୁଟ୍ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ଧରାପୃଷ୍ଠରେ ଅନ୍ୟାୟ, ଅନୀତି ହେଲେ ସଫା କରାଯାଏ । ବିଭିନ୍ନ ରାଜ୍ୟରେ ଚାଲିଥିବା ବ୍ୟବସ୍ଥା ଅନୁସାରେ, ଏଠି ଲାଗୁ କରାଯିବ । ଅର୍ଥାତ୍ କେନ୍ଦ୍ରମନ୍ତ୍ରୀ ପରୋକ୍ଷରେ କହିଛନ୍ତି ରାଜ୍ୟରେ ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ରେଡ୍ କରିବ । ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଟୁଡୁ ରାଜ୍ୟରେ ଇଡି, ସିବିଆଇ ରେଡ୍ ନେଇ ଧମକ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆହୁରି କହିଛନ୍ତି ବିଜେଡି ୨୨ ବର୍ଷ ଶାସନରେ ୨୨ଟି ଯୋଜନାର ନାଁର କହିଲେ ମୁଁ ରାଜନୀତି ଛାଡ଼ି ଦେବି । ଯାହାର ଜବାବ ଦେଇଥିଲେ ବିଜେଡି ନେତା । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ବିଜେଡି ହାଲକା କହିବା ସହ ସାଢ଼େ ୪ କୋଟି ଲୋକ ନବୀନଙ୍କ ପରିବାର ବୋଲି କହିଛନ୍ତି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଥିବା ବିଜେଡି କହିଥିଲା । ବିଜେପିର ଏଭଳି ଅଭିଯୋଗର ଜବାବ ଲୋକ ୨୦୨୪ରେ ଦେବେ ବୋଲି କହିଥିଲେ ବିଜେଡି ନେତା ।