ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଆରା ପରମ୍ପରାରେ ହେଉଛି ରଥଯାତ୍ରା। ସ୍ନାନ ପୂର୍ଣ୍ଣିମାରେ ରଥଯାତ୍ରା ହେଉଥିବା ବେଳେ ଦିନକ ପରେ ବାହୁଡ଼ା ଯାତ୍ରା ହେଉଛି। ଏହିପରି ନିଆରା ପରମ୍ପରା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଶିମିଳିପାଳ ପାଦଦେଶରେ ଥିବା ଗୁଡିଆଲବନ୍ଧ ଗ୍ରାମରେ ଦେଖିବାକୁ ମିଳିଥାଏ। ପୂର୍ବବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଶନିବାର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଉ ରବିବାର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ।
ଏହା ରଥଯାତ୍ରା ପରମ୍ପରାର ବ୍ୟତିକ୍ରମ, ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ସର୍ବତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତିନି ଦିଅଁ ମହାସ୍ନାନ ପରେ ଅସୁସ୍ଥ (ଜ୍ୱର) କାରଣରୁ ଅଣସରରେ ରହିଥାନ୍ତି। ନବ ଯୌବନ ଦର୍ଶନର ପରଦିନ ରଥଯାତ୍ରା ପର୍ବ ଆରମ୍ଭ ହୋଇ ୯ଦିନରେ ବାହୁଡାଯାତ୍ରା ସମ୍ପନ୍ନ ହୋଇଥାଏ। ମାତ୍ର ଏଠାରେ ଏକ ସ୍ୱତନ୍ତ୍ର ପରମ୍ପରା ବହନ କରି ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମା ଦିନ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ପ୍ରତିକୂଳ ପାଗ ସ୍ୱତ୍ତେ ଭକ୍ତଙ୍କ ଭିଡ଼ ମଧ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବା ମଠର ନୀତିରେ ଦେବସ୍ନାନ ପରେ ତିନି ଠାକୁର ଗୋଟିଏ ରଥରେ ସନ୍ଧ୍ୟାରେ ଯାତ୍ରା କରି ଗାଁ ମୁଣ୍ଡରେ ଥିବା ମାଉସୀବାଡି ଗ୍ରାମ ଦେବତୀ ସିନ୍ଦୁରଗୌରା ଠାକୁରାଣୀଙ୍କ ପୀଠରେ ପହଞ୍ଚିଛନ୍ତି। ସେଠାରେ ତିନି ଠାକୁର ରଥ ଉପରେ ଗୋଟିଏ ରାତି ରହିବା ପରେ ରବିବାର ମନ୍ଦିରକୁ ବାହୁଡ଼ି ପୂର୍ବ ପରି ପୂଜା ପାଇବେ। ସମସ୍ତ ‘କ୍ଷେତ୍ର’ରେ ଦିଅଁମାନେ ଅଣସର ଘରେ ରହି ସେମାନେ ପଟିଦିଅଁରେ ବିଷ୍ଣୁ, ମହେଶ୍ୱର ଓ ଶକ୍ତି ରୂପରେ ପୂଜା ପାଉଥିବା ବେଳେ ଏହି ଗ୍ରାମର ଜଗନ୍ନାଥ ମନ୍ଦିରରେ ତିନି ଠାକୁର ନିଜ ନିଜ ରୂପରେ ପୂଜା ପାଆନ୍ତି। ଫଳରେ ସ୍ନାନ ପୂର୍ଣ୍ଣିମୀ ଦିନ ଠାରୁ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଏଠାରେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ଏଠାରେ ଅନ୍ୟ ଏକ ବିଶେଷତ୍ତ୍ୱ ରହିଛି ଯେ, ଦୀର୍ଘ ୩୮ବର୍ଷ ମଧ୍ୟରେ ଭକ୍ତମାନେ ତିନି ଠାକୁରଙ୍କୁ ନବ କଳେବର ରୂପରେ ଦେଖିବାକୁ ପାଇନାହାନ୍ତି।
ମଠର ମହନ୍ତ ଯୋଗେନ୍ଦ୍ରଜୀଙ୍କ ସୂଚନା ଅନୁଯାୟୀ ୧୯୮୬ ମସିହା ଏପ୍ରିଲ ମାସ ୧୦ ତାରିଖରେ ଚାଲି ଚାଲି ଶ୍ରୀକ୍ଷେତ୍ର ପୁରୀକୁ ରଥଯାତ୍ରା ଦେଖିବା ପାଇଁ ଯିବା ବାଟରେ ଦେଖିଥିବା ସ୍ୱପ୍ନାଦେଶ ଅନୁଯାୟୀ ସେ ତିନି ଦିଅଁଙ୍କୁ ସେହି ଗ୍ରାମରେ ପ୍ରତିଷ୍ଠା କରି ପୂଜା କରିଆସୁଛନ୍ତି। ମହାପ୍ରଭୁଙ୍କ ନିର୍ଦେଶରେ ଏଭଳି ପରମ୍ପରା ଚାଲି ଆସିଛି ବୋଲି ସେ କହନ୍ତି। ତେବେ କରୋନା କଟକଣା ପାଇଁ ୨୦୨୦ ମସିହାରେ ରଥ ୧୦ହାତ ଗଡ଼ିଥିବା ବେଳେ ୨୦୨୧ମସିହାରେ ରଥଯାତ୍ରା ବନ୍ଦ ରହିଥିଲା। ଏଥିପରେ ରଥଯାତ୍ରା ଜାରି ରହିଛି। କୋଣସି ସରକାରୀ ସହାୟତାକୁ ମିଳୁନଥିବା ବେଳେ ଗ୍ରାମବାସୀ ମାନଙ୍କ ନିଜସ୍ଵ ପ୍ରଚେଷ୍ଟାରେ ରଥଯାତ୍ରା କରି ଆସୁଛନ୍ତି। ଜଗନ୍ନାଥ ସଂସ୍କୃତିରେ ଏହା ଏକ ସ୍ୱତନ୍ତ୍ର ପରମ୍ପରା ବହନ କରିଥିଲେ ହେଁ ରଥଯାତ୍ରା ଦେଖିବା ପାଇଁ ଶିମିଳିପାଳ ପାଦଦେଶରେ ଥିବା ଗ୍ରାମ ଗୁଡିକରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ସମାଗମ ଭଗବାନଙ୍କ ଲୀଳାକୁ ପ୍ରମାଣିତ କରୁଛି। ତେବେ ପ୍ରଚାର ପ୍ରସାର ଅଭାବରୁ ବଣମଲ୍ଳୀ ବଣରେ ଝଡ଼ି ପଡ଼ିବା ଭଳି ଜଗନ୍ନାଥଙ୍କର ଏହି ସ୍ୱତନ୍ତ୍ର ପରମ୍ପରା ପ୍ରଶାସନ ନିକଟରେ ପହଞ୍ଚିନାହିଁ।