ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ପୌରାଞ୍ଚଳରେ କୋହଳ ହୋଇଛି କର୍ଫ୍ୟୁ। ଆଜିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ। ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଲ୍ୟାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆଜିଠାରୁ ମୋବାଇଲରେ ଇଣ୍ଟରନେଟର ସୁବିଧା ମିଳିବ।
ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ। ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୋହଳ ରହିବ କର୍ଫ୍ୟୁ।ସହରରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ୍ ଯୋଗେ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଉଛି।
ସୂଚନା ଥାଉକି ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ୨୯ଟି ମାମଲା ରୁଜୁ ହୋଇଥିବା ବେଳେ ୮୯ ଜଣ ଗିରଫ ହୋଇଛନ୍ତି। ଅନ୍ୟପଟେ କୌଣସି ଗୁଜବ ପ୍ରଚାର, ସୋସିଆଲ ମିଡିଆ ପୋଷ୍ଟ ଉପରେ ନଜର ରଖିଛି ସାଇବର ଟିମ୍। ଯେଉଁ ବ୍ୟକ୍ତି ଏଭଳି ଗୁଜବ ପ୍ରଚାର କରିବ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ସାଗରିକା ନାଥ କହିଛନ୍ତି।