ଆଳୁ, ପିଆଜ ଯୋଗାଇବ ନାଫେଡ- ଯୋଗାଣ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦର । ଖାଉଟିଙ୍କ ମୁଣ୍ଡରେ ଏବେ ଚଡକ ପଡିଛି । ଦିନେ ଯେଉଁ ପରିବା ୨୦, ୩୦ରେ ମିଳୁଥିଲା, ତାହା ଏବେ ୮୦, ୧୦୦ ଛୁଇଁଲାଣି । କ’ଣ ଖାଇବେ, କେଉଁ ପରିବା କିଣିବେ ଲୋକେ ଚିନ୍ତାରେ ପଡିଥିବା ବେଳେ ଏବେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପରିବା ଦର ବୃଦ୍ଧି ନେଇ ଲୋକଙ୍କୁ ଚିନ୍ତା ନକରିବା ପାଇଁ କହିଛନ୍ତି ମନ୍ତ୍ରୀ ।

ଆହୁରି ହୋଡିଂ ଉପରେ ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରିବା ଦର ବୃଦ୍ଧି ଉପରେ କେବେ ରୋକ ଲାଗିବ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ ଆଳୁ, ପିଆଜ ଯୋଗାଇବାକୁ ନାଫେଡକୁ କୁହାଯିବ। ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ, ମୁଖ୍ୟମନ୍ତ୍ରୀଙ୍କ ସହ ଏସମ୍ପର୍କରେ ଆଲୋଚନା ହୋଇଛି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ଆଳୁ, ପିଆଜ ଇତ୍ୟାଦି ଯୋଗାଇ ଦେବା ପାଇଁ ନାଫେଡକୁ କୁହାଯିବ । ମନ୍ତ୍ରୀ କହିଛନ୍ତି, ପିଆଜ ନାସିକ ଓ ଆନ୍ଧ୍ରରୁ ପାଖାପାଖି ୨୯ ଟଙ୍କାରେ ଆସୁଥିବା ବେଳେ ପରିବହନ ଖର୍ଚ୍ଚ ମିଶି ଏହା ପାଖାପାଖି ୩୪ ଟଙ୍କା ହେଇଯାଉଛି ।

ପରେ ଏଥିରେ ରିଟେଲିଂ ଓ ହୋଲସେଲିଂ ବାଲା ତାଙ୍କର ଲାଭ ରଖିଲା ବେଳକୁ ଏହା ୪୦ ଟଙ୍କା ପାଖାପାଖି ହେଇଯାଉଛି । ସେହିପରି ଆଳୁ ପାଇଁ ମଧ୍ୟ ଆସାମ ଓ ପଶ୍ଚମିବଙ୍ଗ ଉପରେ ନିର୍ଭର କରିବାକୁ ପଡିଛି । ଯାହା ପରେ ସାଧାରଣ ମାର୍କେଟରେ ଏହାର ଦର ଟିକେ ଆବଶ୍ୟକତା ଠାରୁ ଅଧିକ ରହିଛି । ଯେପରି ଆଗକୁ ଅଧିକ ଦର ନ ବଢେ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।  ଏଥିପାଇଁ ଆଗାମୀ ଦିନରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଯୋଜନା ଚାଲିଛି ।

Leave A Reply

Your email address will not be published.