ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲାର ଝାଡ଼ବନ୍ଧରେ ଥିବା ରୁଙ୍ଗଟା ମାଇନ୍ସ କାରଖାନାରେ ଆଜି ସକାଳେ ଅଘଟଣ ଘଟିଛି। ମେକାନିକାଲ ଷ୍ଟ୍ରକଚର୍ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୬ରୁ ୭ ଜଣ ଗୁରୁତର ଆହତ ହୋଇଛ | ଅନ୍ୟପଟେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି । ଶ୍ରମିକମାନେ କାରଖାନା ଛାଡୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାରବନ୍ଧ ସ୍ଥିତ ରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାର ଡିଆରଆଇ ପ୍ଲାଣ୍ଟରେ ଅଘଟଣ ଘଟିଛି । ପ୍ଲାଣ୍ଟର ନଂ ୮ ଓ ୯ ନମ୍ବର କିଲନ ପ୍ଲାଟଫର୍ମରେ ଜିନିଷପତ୍ର ସିଫ୍ଟିଙ୍ଗ ବେଳେ ଉପରୁ ଲୁହା ପ୍ଲେଟ ଖସିପଡିଥିଲା । ଏଥିରେ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି । ଆଜି ସକାଳେ କାମ ଚାଲିଥିବା ବେଳେ ହଠାତ୍ ମେକାନିକାଲ ଷ୍ଟ୍ରକଚରଟି ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଅନେକ ଶ୍ରମିକ ସେଠାରେ କାମ କରୁଥିଲେ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ତାହା ଜଣାପଡ଼ିନାହିଁ।
ଅଘଟଣ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତ ଶ୍ରମିକ ହେଲେ ବିବେକାନନ୍ଦ ସାହୁ (ଖୋକନ) ଓ ବିଷ୍ଣୁ ମାଝୀ (ଇଶାନ) । ଉଭୟ ପଶ୍ଚିମବଙ୍ଗ ବୋଲି ଜଣାପଡିଛି | ଗୁରୁତର ଦୁଇଜଣ ମଧ୍ୟ ପଶ୍ଚିମବଙ୍ଗର ନବ କୁମାର ସାମନ୍ତ ଓ ଅମଲ ବେରା | ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ କାରଖାନା ପକ୍ଷରୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ କାରଖାନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କାରଖାନା ମଧ୍ୟକୁ କାହାକୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ।