କଟକ(ଓଡ଼ିଆ ନ୍ୟୁଜ୍): ବାରବାଟୀ ବିଧାୟକଙ୍କ ବିନ୍ନ ପ୍ରତିବାଦ । ଆବର୍ଜନା ନାଳରେ ପଶି ପ୍ରତିବାଦ ଜଣାଇଲେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ । ପେଟା ନାଳର ପୁନଃରୁଦ୍ଧାର ପାଇଁ ବିଧାନସଭାରେ ବିଲ୍ ପାସ୍ ହୋଇ ସାରିଥିବା ବେଳେ ଏଯାଏଁ ଆରମ୍ଭ ହୋଇନି କାମ । ତେବେ ସରକାରଙ୍କୁ ଚେତାଇବାକୁ ନିଜେ ପେଟା ନାଳର ଆବର୍ଜନାରେ ପଶି ପ୍ରତିବାଦ ଜଣାଇଛନ୍ତି। ଏହାପରେ ବି କାମ ଆରମ୍ଭ ନ ହେଲେ ୩ ମାସ ପରଠୁ ପେଟ ନାଳ ପାର୍ଶ୍ୱରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରିବେ ବୋଲି ଚରମବାଣୀ ଶୁଣାଇଛନ୍ତି ବିଧାୟକ।
ସୂଚନା ଅନୁଯାୟୀ, ବାରବାଟୀ ନିର୍ବାଚନ ମଣ୍ଡଳୀ ଦେଇ ବହିଯାିଥିବା ପେଟା ନାଳର ପୁନଃରୁଦ୍ଧାର ଓ ସୌନ୍ଦର୍ୟ୍ୟକରଣ ପାଇଁ ବାରମ୍ବାର ବିଧାନସଭାରେ ଦାବୀ ଉପସ୍ଥାପନା କରିଥିଲେ କଟକ ବିଧାୟକ ମହମ୍ମଦ ମୋକିମ । ଏ ନେଇ ଟଙ୍କା ମଞ୍ଜୁର ମଧ୍ୟ କରାଯାଇସାରିଛି। ହେଲେ ଆଜି ପର୍ୟ୍ୟନ୍ତ ତାହା କାର୍ୟ୍ୟକାରୀ ହୋଇ ପାରିଲା ନାହିଁ। ତେଣୁ ବିଧାୟକ ନିଜେ ନାଳ ଭିତରେ ପଶି ପ୍ରତିବାଦ ଜଣାଇଛନ୍ତି। ସେ କହିଛନ୍ତି, ଦୀର୍ଘ ବର୍ଷର ବିଜେଡି ସରକାର ସବୁବେଳେ ସିଡିଏ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଛି । ପେଟା ନାଳର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେବା ପରେ ଏହାର ପୁନଃରୁଦ୍ଧାର ପାଇଁ ବିଧାନସଭାରେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ଏବେବି ଫାଇଲ ତଳେ ଚାପି ହୋଇଯାଇଛି। ତେଣୁ ଆଜି ମୁଁ ଏ ନାଳରେ ପଶି ଲୋକେ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଅନୁଭବ କରିଛି।