BMCର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ ଅମୃତ କୁଲାଙ୍ଗେ, ସଞ୍ଜୟ ସିଂହଙ୍କୁ ଦିଆଗଲା ବିଦାୟ କାଳୀନ ସମ୍ବର୍ଦ୍ଧନା
କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ ଅମୃତ କୁଲାଙ୍ଗେ। ସେପଟେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଦାୟୀ କମିଶନର ସଞ୍ଜୟ କୁମାର ସିଂହଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପାଖାପାଖି ୧୩ ମାସ କାର୍ଯ୍ୟକାଳ ପରେ ବିଏମସିରୁ ବିଦାୟ ନେଇଛନ୍ତି ସଞ୍ଜୟ ସିଂହ। ତାଙ୍କ ଦାୟିତ୍ୱକାଳରେ କୋଭିଡ ପରିଚାଳନା, ମ୍ୟୁନିସପାଲିଟି ନିର୍ବାଚନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଛନ୍ତି।
ବଡ କଥା ହେଲା ଅନଲାଇନ ଫାଇଲ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଆରମ୍ଭ କରିଥିଲେ ସଞ୍ଜୟ ସିଂହ। ଭୁବନେଶ୍ୱର ବାସିନ୍ଦାଙ୍କୁ ଡୋର ଷ୍ଟେପ ସୁବିଧା ପ୍ରଦାନ ଲକ୍ଷ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଯାହାକୁ ଆଗକୁ ଜାରି ରଖିବାକୁ ସେ ନିଜ ବିଦାୟକାଳୀନ ବକ୍ତବ୍ୟରେ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୫ ଟି ମନ୍ତ୍ର ଅନୁସାରେ ଆମକୁ କାମ କରିବାକୁ ପଡିବ ବୋଲି କହିଛନ୍ତି ବିଦାୟୀ କମିଶନର ସଞ୍ଜୟ ସିଂହ। ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଡେ଼ପୁଟି ମେୟର, ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ, କର୍ପୋରେଟର ଓ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।