ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ରାଜ୍ୟ ସରକାରଙ୍କୁ ନିଶାନା କଲେ ବିଜୟ ମହାପାତ୍ର । ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି? ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ରତ୍ନଭଣ୍ଡାରର ମାର୍ଫତଦାର, ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି ନୁହେଁ। ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ସମ୍ପତ୍ତି ଅଛି। ତେଣୁ ରତ୍ନଭଣ୍ଡାର ଖୋଲିବାରେ ଅସୁବିଧା କେଉଁଠି ରହୁଛି? ଏବେକାର ମୁଖ୍ୟ ଶାସନ ସଚିବ ଯେତେବେଳେ ମନ୍ଦିର ପ୍ରଶାସକ ଥିଲେ ସେତେବେଳେ ସେ କହିଥିଲେ ଚାବି ମିଳିଲାନି। ପରେ ଜିଲ୍ଲାପାଳ କହିଲେ ନକଲି ଚାବି ମିଳିଲା ହେଲେ ଏବେ ମନ୍ତ୍ରୀଙ୍କ ବିବୃତି ଆଶ୍ଚର୍ଯ୍ୟଜନକ କଥା।
ରତ୍ନଭଣ୍ଡାର ଖୋଲିବାରେ ଅସୁବିଧା କ’ଣ ? ଚାବି ହଜିବା ଘଟଣା ଆଉ ଏଏସଆଇ ମରାମତି ଲାଗି ଲେଖିବା ପରେ ବି ସରକାର କାହିଁକି କିଛି ଶୁଣୁ ନାହାନ୍ତି ? ଏବେ ଆସୁଥିବା ଦାନ ସୁନା ଅଳଙ୍କାର କୋଉଠି ଅଛି? ଆଗରୁ ଆସିଥିବା ଅଳଙ୍କାର କେଉଁଠି ଅଛି? ଏହାର ଗଣନା ଶୀଘ୍ର ହେବା ଦରକାର। କାଳ ବିଳମ୍ବ ନକରି ଏହା ଶୀଘ୍ର କରନ୍ତୁ। କମିଟି ଗଠନ କରନ୍ତୁ ଏବଂ ଗଣନା କରନ୍ତୁ। ଆହୁରି ଅଧିକ ସନ୍ଦେହ ସୃଷ୍ଟି ନକରନ୍ତୁ । ଯେତିକି ବିଳମ୍ବ ହେବ ପରିସ୍ଥିତି ସେତିକି ଜଟିଳ ହେବ। ସବୁ ଆଡ଼ୁ ଗୋଟିଏ ମତ ଆସୁଛି। ଶୀଘ୍ର ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର ।