ବିଜୟ ପଟ୍ଟନାୟକଙ୍କୁ ଗୁରୁଦାୟିତ୍ୱ, ମିଳିଲା ପ୍ରଚାର କମିଟିର ଅଧ୍ୟକ୍ଷ ପଦ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳ ଦେଇଛି ଗୁରୁଦାୟିତ୍ୱ । ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ମୋହର ମାରିଲେ ଏଆଇସିସି ସଭାପତି । ଆଜି ଏଆଇସିସି ପକ୍ଷରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ପ୍ରେସ ରିଲିଜ ଜାରି କରି ଏଆଇସିସି ଏହି ସୂଚନା ଦେଇଛି। ଗତ ଫେବ୍ରୁଆରୀ ୧୦ ତାରିଖରେ ଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୭୬ ବ୍ୟାଚର ଏହି ପୂର୍ବତନ ଆଇଏଏସ୍ ଅଧିକାରୀ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଭାବେ କାମ କରିଥିଲେ । ୨୦୧୦ ମସିହା ସେପ୍ଟେମ୍ବର ମାସରେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୩ରେ ସେ ଅବସର ନେଇଥିଲେ।କଂଗ୍ରେସରେ ଯୋଗ ଦେବା ପରଠୁ ବିଜୟ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି।  ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ପକ୍ଷରୁ ୨୭ ଜଣିଆ ରାଜନୀତିକ ବ୍ୟାପାର କମିଟି ଗଠନ କରାଯାଇଛି। ଏହି କମିଟିରେ ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତ ଦାସ, ତାରା ପ୍ରସାଦ ବାହିନୀପତି, ରାମଚନ୍ଦ୍ର ଖୁଣ୍ଟିଆ, ସୁଶିଳା ତିରିଆ, ବିଜୟ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ପଞ୍ଚାନନ କାନୁନଗୋ, ସପ୍ତଗିରି ଉଲ୍ଲାକା ଓ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଅଛନ୍ତି।

ସୂଚନାଯୋଗ୍ୟ, ନୂଆ କରି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଦଳର ପୁରୁଖା ନେତାଙ୍କୁ ସାକ୍ଷାତ କରିବା ପ୍ରକ୍ରିୟା ବି ଆରମ୍ଭ କରି ଦେଇଛନ୍ତି। ବିଜୟ ପଟ୍ଟନାୟକ ଏଥର ଦଳର ଭୁବନେଶ୍ୱର ସାଂସଦ ଚେହେରା ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ଏହି ପୁରୁଖା ପ୍ରଶାସକ ତଥା ନୂତନ ନେତା ଆଜି କଂଗ୍ରେସର ହେଭିୱେଟ ନେତା ସୁର ରାଉତରାୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ଭେଟିଥିଲେ । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ ବିଜୟ ପଟ୍ଟନାୟକ। ଏହି ଅବସରରେ ସୁର ରାଉତରାୟ କହିଥିଲେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଲେ ମୁଁ ୧୦୦ % ହାପି। କଂଗ୍ରେସକୁ ତାଙ୍କ ପରି କ୍ଲିନ ଇମେଜ ବ୍ୟକ୍ତି ଦରକାର। ସେ ଠିକ ସମୟରେ ଆସିଛନ୍ତି। ତାଙ୍କ ପରି ନିଷ୍ଠାବାନ ଲୋକ କଂଗ୍ରେସକୁ ଲୋଡ଼ା। ଏହି ଅବସରରେ ବିଜୟ ପଟ୍ଟନାୟକ କହିଥିଲେ, ସୁର ଭାଇ କଲେଜରେ ମୋର ସିନିୟର। ମୁଁ ଚାକିରି କରିବା ପରେ ସେ ଥିଲେ ମନ୍ତ୍ରୀ। ତାଙ୍କ ସହ ମୋର ଘନିଷ୍ଠ ସମ୍ପର୍କ । ତେଣୁ ତାଙ୍କୁ ସାକ୍ଷାତ କରିବାକୁ ଆସିଛି।

ଏହାପରେ ବିଜୟ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ସାକ୍ଷାତକାର ପରେ ପୃଥିବୀ ବଲ୍ଲଭ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଖୁବ୍‌ ଅଭିଜ୍ଞତା ଅଛି। ସେ ମୋ’ ବାପାଙ୍କ ପାଖରେ କାମ କରିଛନ୍ତି। ତାଙ୍କୁ ଭଲ ଭାବେ ଜାଣିଛି। ଓଡ଼ିଶାର ଉନ୍ନତି ପାଇଁ ସେ ସବୁବେଳେ ଚିନ୍ତିତ। ଏହି ଅବସରରେ ବିଆରଏସ୍‌ରେ ଯୋଗ ଦେବା ଚର୍ଚ୍ଚା ନେଇ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ପଚରାଯିବାରୁ ଏହାର ଉତ୍ତରରେ ସେ କହିଛନ୍ତି, ମୋର କିଛି ସମ୍ପର୍କ ନାହିଁ। ମୁଁ କଂଗ୍ରେସରେ ଅଛି, ରହିବି।

Leave A Reply

Your email address will not be published.