ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଶ୍ଚିମବଙ୍ଗରେ ପୁଣି ହିଂସା । ହାୱଡ଼ାରେ ରାମନବମୀ ପାଳନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହି ସଂଘର୍ଷ ପରେ ରାସ୍ତାରେ ଥିବା ଅନେକ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଛି । କୁହାଯାଉଛି କି, ରାମନବମୀ ଶୋଭାଯାତ୍ରା ହାଓ୍ବଡ଼ାର ଶିବପୁରୀ ଅଞ୍ଚଳ ଦେଇ ଯିବା ସମୟରେ କେତେକ ସଂପ୍ରଦାୟର ଲୋକେ ପଥରମାଡ଼ କରିଥିଲେ । ଫଳରେ ଏହାକୁ ନେଇ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । କେତେକ ଦୁର୍ବୃତ୍ତ ରାସ୍ତାରେ ଥିବା କେତେକ ଗାଡ଼ିରେ ନିଆଁ ଲଗାଇଦେଇଥିଲେ । ଦଙ୍ଗା ନିୟନ୍ତ୍ରଣ ବାହିନୀ ସମେତ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳର ଭିଡିଓରେ ପୁଲିସ ଭ୍ୟାନ୍ ଓ କାରର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି। ସେହିପରି ରାଜ୍ୟର ଇସ୍ଲାମପୁର ଅଞ୍ଚଳରେ ବି ରାମନବମୀ ଶୋଭାଯାତ୍ରାକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି । କୋଲକାତାରେ ଦୁଇ ଦିନିଆ ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଙ୍ଗାକାରୀଙ୍କୁ ଦେଶର ଶତ୍ରୁ ବୋଲି କହିବା ସହ ଚେତାବନୀ ଦେଇଛନ୍ତି । ଏହା ପୂର୍ବରୁ ମମତା ବାନାର୍ଜୀ ଭକ୍ତମାନଙ୍କୁ ଶାନ୍ତିଶୃଙ୍ଖଳାର ସହ ଶୋଭାଯାତ୍ରା କରିବାକୁ ନିବେଦନ କରିଥିଲେ। ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ଆଜି ଯେଉଁମାନେ ରାମନବମୀ ପାଇଁ ଶୋଭାଯାତ୍ରା କରୁଛନ୍ତି, ଦୟାକରି ବାହାରକୁ ଯାଆନ୍ତୁ କିନ୍ତୁ ଶାନ୍ତିରେ। ଶାନ୍ତିଶୃଙ୍ଖଳାରେ ପାଳନ କରନ୍ତୁ ଏବଂ ହିଂସା ବିସ୍ତାର କରିବାକୁ ଚେଷ୍ଟା କରନ୍ତୁ ନାହିଁ ।
ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବରୁ ନିର୍ବାଚନ ବିଗୁଲ୍ ବାଜିବା ପରେ ରାଜନୈତିକ ହିଂସାକାଣ୍ଡର ଏକ ଘଟଣା ଏବେ ସାମ୍ନାକୁ ଆସିଥିଲା । ରାଜନୈତିକ ହିଂସା କାରଣରୁ ପୁଣି ଜଣେ ବିଜେପି କର୍ମୀ ନଦିଆ ଜିଲ୍ଲାରେ ହତ୍ୟାର ଶିକାର ହୋଇଥିଲେ । ମୃତ ଯୁବକଙ୍କ ଘର ନଦିଆ ଜିଲ୍ଲାର ତକଡାହ, ଏବଂ ତାଙ୍କ ନାଁ ସଣ୍ଟୁ ଘୋଷ । ସଣ୍ଟୁ ଘୋଷ ନିଜ ଘର ସାମ୍ନାରେ ଛିଡ଼ା ହୋଇଥିବା ବେଳେ ହତ୍ୟାର ଶିକାର ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଥିଲା । ତେବେ ଏହି ହତ୍ୟା ପାଇଁ ବିଜେପି ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସକୁ ଦାୟୀ କରିଥିଲା ।
ସେହିପରି 2022 ମାର୍ଚ୍ଚ 21 ତାରିଖରେ ରାମପୁରହାଟ ଗାଁରେ ଟିଏମସି ନେତା ତଥା ଭାଦୁ ଶେଖଙ୍କୁ ବାଇକ୍ ଆରୋହୀମାନେ ହତ୍ୟା କରିବା ପରେ ଉତ୍ତ୍ୟକ୍ତ ଲୋକେ ଅନେକ ଘର ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ତହିଁ ପରଦିନ ପୁଲିସ ଏକ ଘରୁ ଶିଶୁ ଓ ମହିଳାଙ୍କ ସମେତ ଆଠ ଜଣଙ୍କ ପୋଡ଼ା ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣାକ୍ରମରେ ହିଂସାରେ ପୋଡ଼ି ହୋଇ ଆହତ ହୋଇଥିବା ଜଣେ ମହିଳାଙ୍କ ରବିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି।ଏହି ମାମଲାକୁ ଶାସକ ଦଳ ଟିଏମସିକୁ ଘେରିଥିଲା ବିଜେପି । ଯଦିଓ ମମତା ଏସଆଇଟି ଟିମ୍ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ହାଇକୋର୍ଟ ମାମଲାକୁ ନିଜ ଆଡୁ ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଗତ ମାସ 7 ତାରିଖରେ ସିବିଆଇ ଚାର୍ଜଶିଟ୍ ଦାଖଳ କରିଥିଲା।