କେନ୍ଦ୍ରରେ କ୍ଷମତାକୁ ଆସିଲେ ତୁରନ୍ତ କାର୍ଯ୍ୟକାରୀ କରାଇବୁ ମହିଳା ବିଲ: ରାହୁଲ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସଂସଦର ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ ପାସ ହେଲା ସତ କିନ୍ତୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ । କାରଣ ବିଜେପି ସରକାର ଏହାକୁ କାର୍ଯ୍ୟକାରୀ କରାଇବେ ନାହିଁ ।  ଯଦି କେନ୍ଦ୍ରରେ ଆମ ସରକାର ଆସିବ ତେବେ ମହିଳା ସଂରକ୍ଷଣ ବିଲକୁ ତୁରନ୍ତ କାର୍ଯ୍ୟକାରୀ କରାଇବୁ । ରାଜସ୍ଥାନରେ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରି ଏପରି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ରାଜସ୍ଥାନରେ ନିର୍ବାଚନ ପ୍ରଚାର ଅବସରରେ ରାହୁଲ ଆହୁରି କହିଥିଲେ, ମୋଦି ସରକାର ଇଣ୍ଡିଆର ନାଁ ଭାରତ କରିବାକୁ ଚାହୁଁଥିଲେ । ସେଥିପାଇଁ ବିଶେଷ ଅଧିବେଶନ ଡାକିଥିଲେ । ହେଲେ ପୁଣି ଏହାକୁ ଅଟକାଇ ମହିଳା ସଂରକ୍ଷଣ ବିଲ ଆଣିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ରାଜସ୍ଥାନରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ବିଧାନସଭା ନିର୍ବାଚନ ଅଭିଯାନ ଆରମ୍ଭ କରିଥିଲେ । ରାହୁଲ ଗାନ୍ଧୀ କହିଥିଲେ, ଯଦି ଆମ ସରକାର କେନ୍ଦ୍ରରେ କ୍ଷମତାକୁ ଆସେ ତେବେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଇବ ।

ସେ କହିଥିଲେ, ପୁରା ବିପକ୍ଷ ଦଳ ମହିଳା ସଂରକ୍ଷଣକୁ ସମର୍ଥନ କଲେ । ଆମେ ଚାହୁଁଛୁ ଏହି ବିଲ ଆଜି ହିଁ କାର୍ଯ୍ୟକାରୀ ହେଉ । ହେଲେ ବିଜେପି ଦଳ ଦଶ ବର୍ଷ ପରେ ଏହାକୁ ଲାଗୁ କରାଇବାକୁ ଚାହୁଁଛନ୍ତି । ସେହିପରି ଜାତିଗତ ଜନଗଣନାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ ରାହୁଲ । ସେ କହିଥିଲେ, ମୋଦି ଓବିସି ବର୍ଗଙ୍କୁ ଭାଗିଦାରୀ ଦେବାକୁ ଚାହୁଁଛନ୍ତି । କିନ୍ତୁ ଜାତିଗତ ଜନଗଣନାକୁ କାହିଁକି ଡରୁଛନ୍ତି ?  ବିଜେପିବାଲା ଯେତେବେଳେ ଭୋଟ ମାଗିବାକୁ ଆସିବେ ସେତେବେଳେ ଜାତିଗତ ଜନଗଣନାକୁ କାହିଁକି ଡରୁଛନ୍ତି ବୋଲି ପଚାରିବାକୁ କଂଗ୍ରେସ କାର୍ଯ୍ୟକର୍ତ୍ତାକୁ ରାହୁଲ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.