ଝାଡ଼ଖଣ୍ଡର ୩ କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହଙ୍ଗା ପଡ଼ିଲା ଲାଞ୍ଚ କାରବାର । ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକ ଓ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ପଶ୍ଚିମବଙ୍ଗ ପୁଲିସ ରବିବାର ଗିରଫ କରିଛି । ଗିରଫ ବିଧାୟକଙ୍କ ନିକଟରୁ ୫୦ଲକ୍ଷ ଟଙ୍କା ଜବତ କରାଯାଇଛି । ଗିରଫ ବିଧାୟକମାନେ ହେଲେ ଇରଫାନ ଅନସାରୀ, ରାଜେଶ କାଚାପ ଓ ନମନ ବିକ୍ସଲ କୋଙ୍ଗାରି। ଶନିବାର ବିଧାୟକ ତ୍ରୟ ଏକ ଏସୟୁଭି (କାର୍)ରେ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ପିଛା କରି ପଞ୍ଚଲା ଥାନାର ରାଣୀହାତୀ ଅଞ୍ଚଳରେ ଅଟକାଇଥିଲା। ସେମାନଙ୍କ କାର୍କୁ ଯାଞ୍ଚ କରାଯିବା ପରେ ପ୍ରାୟ ୫୦ଲକ୍ଷ ଟଙ୍କା ଜବତ କରାଯାଇଥିଲା।

ଏହି ଘଟଣା ପରେ କଂଗ୍ରେସ ତିନି ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛି। ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶକ୍ରମେ ତିନି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯିବା ସମ୍ପର୍କରେ ଝାଡଖଣ୍ଡ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ କହିଛନ୍ତି। ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ଝାଡଖଣ୍ଡ ସରକାରକୁ ଭାଙ୍ଗିବା ଲାଗି ବିଜେପି ପ୍ରୟାସ ଚଳାଇଛି। ଝାଡଖଣ୍ଡରେ ଜେଏମଏମ୍-କଂଗ୍ରେସ ମେଣ୍ଟ ସରକାର ଥିବାବେଳେ ଏହାକୁ ଭାଙ୍ଗି ବିଜେପି କ୍ଷମତା ଦଖଲ କରିବାକୁ ଚାହୁଁଛି। କଂଗ୍ରେସ ବିଧାୟକଙ୍କୁ ନିଜ ପଟକୁ ନେବା ଲାଗି ବିଜେପି ଜଣ ପିଛା ୧୦କୋଟି ଟଙ୍କା ଓ ମନ୍ତ୍ରୀ ପଦ ଦେବାକୁ ପ୍ରଲୋଭନ ଦେଖାଉଛି। ବିଜେପି ପକ୍ଷରୁ ଗିରଫ ଉପରୋକ୍ତ ତିନି ବିଧାୟକ ମଧ୍ୟସ୍ଥ ସାଜି ସାଥୀ ବିଧାୟକଙ୍କୁ ପ୍ରଲୋଭିତ କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

Leave A Reply

Your email address will not be published.