ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୟୁକ୍ରେନ-ରୁଷ ଯୁଦ୍ଧ ୧୦୦ ଦିନ ଛୁଇଁବାକୁ ଯାଉଛି । ଅନ୍ୟପଟେ ଯୁଦ୍ଧ ବନ୍ଦ ହେବାର କୈଣସି ସମାଧାନ ନଜର ଆସୁନାହିଁ । ଏହାରି ଭିତରେ ଋଷ ୟୁକ୍ରେନର ପୂର୍ବ ଅଞ୍ଚଳରେ ଆକ୍ରମଣକୁ ଜୋରଦାର କରିଛି । ୟୁକ୍ରେନର ଡୋନ୍ୱାସ ଏବଂ ଲୁହାନସ୍କ ସହର ଉପରେ ଆକ୍ରମଣ ପାଇଁ ଆଗକୁ ବଢୁଛି । ନିକଟରେ ୟୁକ୍ରେନ ଦାବି କରିଛି ଯେ ଋଷ ପାଖାପାଖି ୨୦ ପ୍ରତିଶତ ଅଞ୍ଚଳକୁ କବ୍ଚା କରିନେଇଛି । ଫେବୃୟାରୀ ୨୪ରେ ଋଷ ଆକ୍ରମଣ ଆରମ୍ଭ କରିବା ପରଠାରୁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି । ଜେଲେନସ୍କି କହିଛନ୍ତି ଯେ ପ୍ରତିଦିନ ୧୦୦ ୟୁକ୍ରେନ ସୈନ୍ୟଙ୍କ ମୃତ୍ୟୁ ହେଉଛି ।
ଏହି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସ୍ପଷ୍ଟ କରିଛନ୍ତି ଯେ, ରୁଷୀୟ ସୈନ୍ୟ ବର୍ତ୍ତମାନ ୟୁକ୍ରେନର ପାଖାପାଖି ୨୦ ପ୍ରତିଶତ ଅଞ୍ଚଳକୁ ନିୟନ୍ତ୍ରଣରେ ରଖିଛନ୍ତି । ସେ କହିଛନ୍ତି ୟୁକ୍ରେନ ସୁରକ୍ଷାକର୍ମୀ ଏବେସୁଦ୍ଧା ୧,୦୧୭ ଅଞ୍ଚଳକୁ ମୁକ୍ତ କରିଛନ୍ତି। ଏଏଫପି ଅନୁସାରେ ଜେଲେନସ୍କି ରାଜନେତା ଓ ଲକ୍ଜମବର୍ଗ ଲୋକଙ୍କୁ ନିଜର ସମ୍ୱୋଧନରେ କହିଛନ୍ତି – ରୁଷିଆ ସୈନିକ ୟୁକ୍ରେନର ୩,୬୨୦ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା । ଏଥିରୁ ୧,୦୧୭ଟି ଅଞ୍ଚଳ ପ୍ରଥମରୁ ମୁକ୍ତ ହୋଇ ସାରିଛି । ଆଉ ୨,୬୦୩କୁ ମୁକ୍ତ କରିବାର ଆବଶ୍ୟକତା ରହିଛି। ଆଜିସୁଦ୍ଧା ଆମର ପାଖାପାଖି ୨୦ ପ୍ରତିଶତ ଅଞ୍ଚଳର କବଜାକାରୀଙ୍କ ନିୟନ୍ତ୍ରଣରେ ରହିଛି । ଯାହାକି ପାଖାପାଖି ୧୨୫,୦୦୦ବର୍ଗ କିମି।
ଜେଲେନସ୍କି ସମ୍ୱୋଧନରେ ଆହୁରି କହିଛନ୍ତି , ଏହି ଆକ୍ରମଣ ୮ ବର୍ଷ ପୂର୍ବରୁ ( ୨୦୧୪-୨୦୨୨) ଆରମ୍ଭ ହୋଇଛି , ସେମାନେ ୟୁକ୍ରେନର ପାଖାପାଖି ୪୩,୦୦୦ବର୍ଗ କି.ମି ନିୟନ୍ତ୍ରଣରେ ରଖିଛନ୍ତି । ଆମେରିକାର ନେତୃତ୍ୟୁରେ ପାଶ୍ଚାତ୍ୟ ଦେଶମାନେ ଋଷର ଆକ୍ରମଣରୁ ବଞ୍ଚିବାରେ ସାହାର୍ଯ୍ୟ କରିବା ପାଇଁ ୟୁକ୍ରେନକୁ ଶସ୍ତ୍ରଶସ୍ତ୍ର ଏବଂ ସାମରିକ ସାମଗ୍ରୀ ପଠାଇଛନ୍ତି ।
ୟୁକ୍ରେନକୁ ଆମେରିକାର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସହିତ ହାଇ ମୋବିଲିଟି ଅର୍ଟିଲେରୀ ରକେଟ ସିଷ୍ଟମଭଳି ଦୂରଗାମୀ ରକେଟ ସିଷ୍ଟମ ଯୋଗାଇବା ସହ ୧୧ତମ ସାମରିକ ପ୍ୟାକେଜ୍ ବ୍ୟବସ୍ଥାରେ ହିମାର୍ସ ରକେଟ ସିଷ୍ଟମ ଦେବାକୁ ଯାଉଛି ଯାହାକୁ ନେଇ ଋଷ ସିଧାସିଧା ଆମେରିକାକୁ କଡା ଚେତାବନୀ ଜାରି କରିଛି । ଆମେରିକାର ଏଭଳି ନିଷ୍ପତ୍ତି ନେଇ ନିଅାଁରେ ଘିଅ ଢାଳିବାକୁ ଉଦ୍ୟମ କରୁଛି ଆଉ ଏହାର ପରିଣାମ ଭୟଙ୍କର ହେବ ବୋଲି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ରିଆକୋଭ୍ କହିଛନ୍ତି ।