ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦେଶ ମାତୃକାର ସେବା କରି ଆତଙ୍କୀ ହାମ୍ଲାରେ ସହିଦ ହୋଇଯାଇଥିବା ଲାନ୍ସନାୟକ ଦେବାଶିଷ ବିଶ୍ବାଳଙ୍କର ଶନିବାର ଅପରାହ୍ଣ ସାଢ଼େ ୨ଟା ଗାଁରେ ମଶାଣିରେ ପଞ୍ଚଭୂତରେ ଲୀନ ହୋଇଛନ୍ତି। ପରିବାର ଲୋକ, ବନ୍ଧୁବାନ୍ଧବ, ସ୍ଥାନୀୟ ଜନତା, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସେନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଖଣ୍ଡାୟତସାହିରେ ଦେବାଶିଷଙ୍କ ଶେଷକୃତ୍ୟ ଗାଁ ମଶାଣିରେ ସଂପନ୍ନ ହୋଇଛି। ମରଶରୀରରେ ସାନଭାଇ ଦେବୀ ପ୍ରସାଦ ବିଶ୍ବାଳ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପୂର୍ବତନ ବିଧାୟକ ପ୍ରାସଦ ହରିଚନ୍ଦନ, ରମାରଂଜନ ବଳିୟାରସିଂହ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସନ୍ଦୀପ ପାତ୍ର, ବିଜେପି ନେତା ସନ୍ଦୀପ ପାତ୍ର, କୃଷ୍ଣଚନ୍ଦ୍ର ଜଗଦ୍ଦେବ, ଓମପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆର୍ମି ଅଧିକାରୀ ରାହୁଲ ବସନ୍ତ କୁଣ୍ଡାଲକର, ସୁନୀଲ କୁମାର ସାମଲ, ବିଜୟ କୁମାର ସାହୁ, ଦିବ୍ୟେଶ କୁମାର ସ୍ବାଇଁ ଓ ସୁଶୀଲ ମିନହାସ ସାମିଲ ହୋଇଥିଲେ। ପ୍ରଶାସନ ତରଫରୁ ଏଡିଏମ୍ ଦିଲ୍ଲୀପ କୁମାର ମହାପାତ୍ର, ତହସିଲଦାର ଜୟନ୍ତ କୁମାର ଜୟସିଂହ, ବିଡିଓ ଲୋଚନ ଦାସ, ଅତିରିକ୍ତ ଏସ୍ପି ମିହିର ପଣ୍ଡା, ଏସଡିପିଓ ଦେବଦତ୍ତ ବରାଳ, ଆଇଆଇସି ବିଜୟ କେତନ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ଅନ୍ତିମ ସଂସ୍କାର ପୂର୍ବରୁ ୬କିଲୋମିଟର ପର୍ଯ୍ୟନ୍ତ ଏକ ଶୋକଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା, ଯେଉଥିରେ କି ୫୦୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ଗୁରୁବାର ଅପରାହ୍ଣ ସମୟରେ ସେନାର ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଓଡ଼ିଆ ପୁଅ ଦେବାଶିଷ ବିଶ୍ବାଳଙ୍କ ସମେତ ୫ ଜଣ (ଅନ୍ୟ ୪ ଜଣ ପଂଜାବର) ସହିଦ ହୋଇଥିଲେ। ଆଜି ସକାଳେ ଦେବାଶିଷଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା। ଏଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାଛଡ଼ା ସେଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ରଙ୍କ ସମେତ ବହୁ ରାଜନେତା ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭୁବନେଶ୍ବର ବିମାନବନ୍ଦରରେ ସହିଦ ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ଉପସ୍ଥିତ ଥଲେ। ଏବେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅଳୁଗୁମ ପଞ୍ଚାୟତ ଖଣ୍ଡାୟତସାହିକୁ ନିଆଯାଇଥିଲା।

ଗତକାଲି ମୁଖ୍ୟମନ୍ତ୍ରୀ ସହିଦ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ଦିଆଯିବ ବୋଲି କହିଥିଲେ। ଏପ୍ରିଲ ୨୧ ତାରିଖରେ ଜମ୍ମୁ-କଶ୍ମୀର ପୁଞ୍ଚ ଆତଙ୍କୀ ହମଲାରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିଲେ। ଦେବାଶିଷଙ୍କ ସମେତ ୫ ରାଷ୍ଟ୍ରୀୟ ରାଇଫଲ୍ସ ଯବାନ ମଧ୍ୟ ଆତଙ୍କୀ ହମଲାରେ ସହିଦ ହୋଇଥିଲେ। ଦେବାଶିଷ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସରେ ନିଯୁକ୍ତି ପାଇଥିଲେ।