ଟେସଲା ସିଇଓ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଛନ୍ତି। ଏହି ଡିଲ୍ ସାରା ବିଶ୍ୱରେ ଆଲୋଚନା ହେଉଛି | ହ୍ୱାଇଟ ହାଉସ ମଧ୍ୟ ଏଥିରେ ପ୍ରତିକ୍ରିୟା ରଖିଛି। ଯଦିଓ ହ୍ୱାଇଟ ହାଉସ୍ ଟ୍ୱିଟର ଏବଂ ଏଲୋନ୍ ମସ୍କ ମଧ୍ୟରେ ହୋଇଥିବା ଚୁକ୍ତି ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି, ଅଧିକାରୀମାନେ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମର ଶକ୍ତି ଉପରେ ରାଷ୍ଟ୍ରପତି ଜୋ ବିଡେନ ଦୀର୍ଘ ଦିନରୁ ଚିନ୍ତିତ ଥିଲେ। ହ୍ୱାଇଟ ହାଉସର ମୁଖପାତ୍ର ଜେନ ସାକି କହିଛନ୍ତି ଯେ ଆମର ଚିନ୍ତା ନୂଆ ନୁହେଁ।
ଜେନ ସାକି କହିଛନ୍ତି ଯେ “ରାଷ୍ଟ୍ରପତି ବିଡେନ ବହୁ ପୂର୍ବରୁ ଭୁଲ ତଥ୍ୟ ବିସ୍ତାର କରିବା ପାଇଁ ଟ୍ୱିଟର ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ଶକ୍ତି ବିଷୟରେ ନିଜର ଉଦ୍ବେଗ ପ୍ରକାଶ କରିଆସୁଛନ୍ତି। ଏହି ଚିନ୍ତା ବଢିଚାଲିଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ହ୍ଵାଇଟ ହାଉସ ବ୍ୟକ୍ତିଗତ କାରବାର ଉପରେ କୌଣସି ମନ୍ତବ୍ୟ ଦେବ ନାହିଁ। ଜେନ୍ ସାକି ଗଣମାଧ୍ୟମକୁ କହିଛନ୍ତି ଯେ ଧାରା ୨୩୯ ରଦ୍ଦ ପାଇଁ ହ୍ଵାଇଟ ହାଉସ୍ ଓକିଲାତି ଜାରି ରଖିବ, ଯେହେତୁ ଉପଭୋକ୍ତାମାନଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ବିଷୟବସ୍ତୁ ପାଇଁ ଆଇନ ଅନଲାଇନ୍ କମ୍ପାନୀଗୁଡିକୁ ଉତ୍ତରଦାୟିତ୍ଵ ରୁ ରକ୍ଷା କରିଥାଏ। ସେ କହିଛନ୍ତି ଯେ ବିଡେନ ପ୍ରଶାସନର ଅଧିକାରୀମାନେ ଅନୁଭବ କରୁଛନ୍ତି ଯେ କଡା ଅନୁସନ୍ଧାନ ଦ୍ବାରା ରାଜନୈତିକ ପ୍ରସଙ୍ଗ ତଥା କରୋନା ଉପରେ ଭୁଲ ତଥ୍ୟ ବିସ୍ତାର ହୋଇପାରିବ ନାହିଁ। ସାକି କହିଛନ୍ତି ଯେ, “ଆମେ ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ନିୟମିତ ଭାବେ ସଂଯୁକ୍ତ ଅଟୁ। ଏହି ପ୍ରକ୍ରିୟା ଆହୁରି ଆଗକୁ ଜାରି ରହିବା, କିନ୍ତୁ ଏହାର ଉନ୍ନତି ପାଇଁ ଯାହା କିଛି ପଦକ୍ଷେପ ନିଆଯାଇପାରିବ, ତାହା ଗ୍ରହଣ କରାଯିବ।”