କାହାକୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବେ ବିରୋଧୀ: ଆସନ୍ତା ରବିବାର ନିଷ୍ପତି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶର ନୂତନ ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ଏବଂ ବିରୋଧୀ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଏନଡିଏ ଏପର୍ୟ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ଅନ୍ୟପକ୍ଷରେ ବିରୋଧୀ ଦଳ ଖୁବ ଶୀଘ୍ର ଏ ବିଷୟରେ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ରାଜ୍ୟସଭାରେ ବରିଷ୍ଠ ଦଳର ନେତା ତଥା ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ କଂଗ୍ରେସ ଏହି ଦାୟିତ୍ୱ ଦେଇଛି। ଆସନ୍ତା ରବିବାର ଦିନ ସମସ୍ତ ୧୭ ଟି ଦଳ ସହିତ ଏକ ବୈଠକ କରିବାର ସମ୍ଭାବନା ରହିଛି। ଯେଉଁଥିରେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ସହମତି ହେବାର ସମ୍ଭାବନା ରହିଛି। ଏହି ଆଲୋଚନା ମଧ୍ୟରେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଅଣ କଂଗ୍ରେସ ହେବ ବୋଲି ଖବର ମଧ୍ୟ ଆସୁଛି।

ବାସ୍ତବରେ, ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ୟ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହେଉଛି। ଯେତେବେଳେ କି, ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ରର ଶେଷ ତାରିଖ ଭାବରେ ନିର୍ବାଚନ ଆୟୋଗ ଜୁଲାଇ ୧୯ କୁ ସ୍ଥିର କରିଛନ୍ତି। ନାମାଙ୍କନ ପ୍ରତ୍ୟାହାର ପାଇଁ ଜୁଲାଇ ୨୨ ଶେଷ ଦିନ ହେବ । ନିର୍ବାଚନ ଆୟୋଗ ଅଗଷ୍ଟ ୬ କୁ ଭୋଟ୍ ଏବଂ ଗଣନା ତାରିଖ ଭାବରେ ସ୍ଥିର କରିଛନ୍ତି।
ଆସନ୍ତା ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ମିଳିତ ତଥା ଅଣ-କଂଗ୍ରେସ ପ୍ରାର୍ଥୀ ଦେବେ। ସୂତ୍ରରୁ ପ୍ରକାଶ ଯେ ବିଭିନ୍ନ ବିରୋଧୀ ଦଳର ନେତାମାନେ ଜୁଲାଇ ୧୭ ରେ ସାକ୍ଷାତ କରି ଏହି ବିଷୟରେ ଆଲୋଚନା କରିବେ। ଏଥିପାଇଁ ଆସନ୍ତା ମାସରେ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ସର୍ବସମ୍ମତିକ୍ରମେ ପ୍ରାର୍ଥୀ ଆଲୋଚନା କରିବାକୁ କଂଗ୍ରେସ ସମସ୍ତ ଦଳଙ୍କ ନିକଟକୁ ଯାଇଛି।

ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ୍ ଖଡଗେ ଜୁଲାଇ ୧୮ ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପାଇଁ ଫ୍ଲୋର ଷ୍ଟ୍ରାଟେଜୀ ସହିତ ଉପ-ରାଷ୍ଟ୍ରପତି ନିର୍ବାଚନର ସବିଶେଷ ଆଲୋଚନା ପାଇଁ ବିରୋଧୀ ଦଳର ନେତାମାନଙ୍କୁ ଆୟୋଜନ କରିବେ। ତେବେ ବିଜୟ ନିଶ୍ଚିତ କରିବାକୁ ବିରୋଧୀଙ୍କ ସଂଖ୍ୟା ନାହିଁ। ତଥାପି ବିରୋଧୀଦଳ ବିଶ୍ୱାସ କରୁଛନ୍ତି ଯେ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇ ବିଜେପିକୁ ଏକ ଆଦର୍ଶଗତ ଆହ୍ୱାନ ଦିଆଯିବ।

 

Leave A Reply

Your email address will not be published.