କାହିଁକି ରଜରେ ଝିଅମାନେ ଖାଲିପାଦରେ ଚାଲନ୍ତି ନାହିଁ ?

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : “ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ, ଆସିଛି ରଜଲୋ ଘେନି ନୂଆ ସଜବାଜ” । ଓଡ଼ିଶାରେ ୧୨ମାସରେ ୧୩ ପର୍ବ ପାଳିତ ହୁଏ । ଓଡ଼ିଶାର ସମସ୍ତ ପର୍ବ ପ୍ରତି ଓଡ଼ିଆ ପରିବାରରେ ଆଗ୍ରହ ରହିଥାଏ । ହେଲେ ରଜପର୍ବ ପ୍ରତ୍ୟେକ ଓଡ଼ିଆଙ୍କ ଆନ୍ତରିକ ଓ ଅନୁରାଗର ପର୍ବ । ତେବେ ଏହି ରଜପର୍ବ ଜୈ୍ୟଷ୍ଠ ମାସ ଶେଷ ଦିନଠାରୁ ଆରମ୍ଭ ହୋଇ ଆଷାଢ ମାସର ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଲଗାତାର ତିନି ଦିନ ଧରି ଓଡ଼ିଶାରେ ରଜ ପର୍ବ ପାଳନ କରାଯାଏ ।

ଆଷାଢ ମାସରେ ପଡୁଥିବା ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ରଜର ପ୍ରଥମ ଦିନକୁ ‘ପହିଲି ରଜ’, ୨ୟ ଦିନକୁ ‘ଭୂମି ଦହନ’ ଓ ଶେଷ ଦିନକୁ ‘ବସୁମତି ଗାଧୁଆ’ ବା ‘ବସୁମତି ସ୍ନାନ’ ବୋଲି କୁହାଯାଏ । ତେବେ ଏହି ରଜ ଆରମ୍ଭର ପୂର୍ବ ଦିନକୁ ‘ରଜ ସଜବାଜ’ ବୋଲି କୁହାଯାଏ ।

ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ। ତିନିଦିନ ଧରି ଧରଣୀ ମାଆକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂ ଖନନ ବାରଣ କରାଯାଏ। ଆଷାଢ଼ର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ। ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ।

ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ। ଏହି ରଜ ପର୍ବ ପାଳନ ଅବସରରେ ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ। କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାର ସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାର ସଂହିତା ତାକୁ ସହାଯ୍ୟ କରେ।

ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାଆକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲା ଭଳି କୁମାରୀମାନେ ବିଶ୍ରାମ କରନ୍ତି। ଏମିତିକି ଆମ ପୃଥିବୀ ମା’କୁ କଷ୍ଟ ହେବ ବୋଲି ଝିଅ ମାନେ ଖାଲି ପାଦରେ ନାଚାଲି, କଦଳୀ ପାଟୁଆ ପିନ୍ଧି ଭୂମି ଉପରେ ଚାଲିଥାନ୍ତି।

ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି। ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମାଆର କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଇ ପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ନିଜ ଅନୁଭୂତିରୁ ଶିଖି ସଂସାର ନିୟମ ଶିଖାଇବେ। ଏହି ପର୍ବ ଅନେକ ମହତ୍ତ୍ୱ ବହନ କରେ ।

Leave A Reply

Your email address will not be published.