କାହିଁକି ପାଳନ କରାଯାଏ ଡାକ୍ତର ଦିବସ?

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜି ହେଉଛି ଜାତୀୟ ଡାକ୍ତର ଦିବସ । ଡାକ୍ତରମାନଙ୍କୁ ପୃଥିବୀରେ ଭଗବାନଙ୍କ ମାନ୍ୟତା ଦିଆଯାଇଛି।ଡାକ୍ତରମାନେ ହିଁ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରନ୍ତି ଏବଂ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରନ୍ତି। ଏମିତି 24 ଘଣ୍ଟା ନିଃସ୍ବାର୍ଥପର ସେବା ପ୍ରଦାନ କରିଥାଆନ୍ତି। ପ୍ରତିକଥାରେ ମନେ ପଡେ ଡାକ୍ତରଙ୍କ କଥା। ମଣିଷ ନିଜ ଶରୀର ପାଖରେ ସମ୍ପୂର୍ଣ୍ଣ ନାଚାର ହୋଇଯାଏ ସେତେବେଳେ ଆରୋଗ୍ୟର ଆଶା ନେଇ ଡାକ୍ତରଙ୍କ ପାଖକୁ ଯାଇଥାଏ। କୁହାଯାଏ ଔଷଧ ରୋଗ ଭଲ କରିଥାଏ କିନ୍ତୁ ଡାକ୍ତର ରୋଗୀକୁ ଭଲ କରିଥାଆନ୍ତି। ସେମାନଙ୍କର ସଚ୍ଚୋଟତା ଏବଂ ନିଷ୍ଠା ପାଇଁ ସେମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ 1 ରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଏହା ବ୍ୟତୀତ ଭାରତର ମହାନ ଡାକ୍ତର ତଥା ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନଚନ୍ଦ୍ର ରୟଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏହି ଦିନ ପାଳନ କରାଯାଏ। ବିଶେଷ କରି କୋରୋନା ମହାମାରୀରେ ବିଶ୍ବ କବଳିତ ହେଉଥିଲା ବେଳେ ଯେପରି ନିଜ ଜୀବନକୁ ବାଜି ଲଗାଇ ଡାକ୍ତରମାନେ ଯୋଦ୍ଧା ଭାବେ ଯେଭଳି ରୋଗୀ ସେବା କରିଥିଲେ, ତାଙ୍କ ପାଇଁ ଗୋଟିଏ ଦିନ ସମ୍ମାନ ଜଣାଇବା ଯଥେଷ୍ଟ ନୁହଁ।

ଆଜି ହେଉଛି ଡାକ୍ତର ବିଧାନଚନ୍ଦ୍ର ରୟଙ୍କ ଜନ୍ମବର୍ଷିକି। ଚିକିତ୍ସା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ପାଇଁ ତାଙ୍କୁ ବଙ୍ଗଳାର ଆକ୍ରିଟେକ୍ଟ ମଧ୍ୟ କୁହାଯାଏ। 1961 ମସିହାରେ ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ତାଙ୍କ ସ୍ମୃତିରେ ତତ୍କାଳୀନ କେନ୍ଦ୍ର ସରକାର 1991 ମସିହାରେ ଜାତୀୟ ଡାକ୍ତର ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଜୁଲାଇ 1 ରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଡାକ୍ତର ବିଧାନଚନ୍ଦ୍ର ରୟ 1 ଜୁଲାଇ 1882 ରେ ବିହାରର ପାଟନା ସହରରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ କୋଲକାତାରେ ତାଙ୍କର ଡାକ୍ତରୀ ଅଧ୍ୟୟନ ସମାପ୍ତ କରିଥିଲେ। ଏହା ପରେ, ଲଣ୍ଡନରୁ MRCP ଏବଂ FRCS ଉପାଧି ହାସଲ କରିଥିଲେ। ରୟ ଏତେ ସକ୍ଷମ ଥିଲେ ଯେ ଦୁଇ ବର୍ଷ ମଧ୍ୟରେ ସେ ଏକାସାଙ୍ଗରେ ଫିଜିସିଆନ ଏବଂ ସର୍ଜନ ଡିଗ୍ରୀ ହାସଲ କରିଥିଲେ। ଲଣ୍ଡନରୁ ଅଧ୍ୟୟନ ସମାପ୍ତ କରିବା ପରେ, ରୟ ଭାରତକୁ ଆସି 1911 ମସିହାରେ ତାଙ୍କର ଚିକିତ୍ସା ଜୀବନ ଆରମ୍ଭ କରିଥିଲେ। ସେ ଭାରତରେ ଔଷଧ କ୍ଷେତ୍ରରେ ଅନେକ ନାମ ଓ ସମ୍ମାନ ଅର୍ଜନ କରିଥିଲେ। ଏହା ବ୍ୟତୀତ ରୟ ରାଜନୀତିରେ ମଧ୍ୟ ସକ୍ରିୟ ରହିଲେ। କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ। ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ। ଜୁଲାଇ 1 ରେ ତାଙ୍କ ଜନ୍ମଦିନରେ 80 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ସେହି ଦିନଠାରୁ ତାଙ୍କ ସ୍ମୃତିରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି।

ଡାକ୍ତରଙ୍କୁ କୃତଜ୍ଞତା ଜଣାଇବା ପାଇଁ ପ୍ରତିବର୍ଷ ଜୁଲାଇ 1 ରେ ଭାରତରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଡାକ୍ତରମାନେ ଶହ ଶହ ହଜାର ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି ଏବଂ ଦିନରାତି ସେବା ପ୍ରଦାନ କରୁଛନ୍ତି। ଯଦିଓ ଡାକ୍ତରଙ୍କ ଦିବସ ବିଶ୍ୱର ବିଭିନ୍ନ ତାରିଖରେ ପାଳନ କରାଯାଏ। ଭାରତରେ ଆଜିର ଦିନରେ ପାଳନ କରାଯାଉଥିବା ବେଳେ 30 ମାର୍ଚ୍ଚରେ ଆମେରିକାରେ, 23 ଅଗଷ୍ଟରେ ଇରାନରେ ଏବଂ 3 ଡିସେମ୍ବରରେ କ୍ୟୁବାରେ ପାଳନ କରାଯାଏ।

 

Leave A Reply

Your email address will not be published.