ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ଜାତାୟ କଂଗ୍ରେସକୁ ବିଗତ ପାଞ୍ଚ ମାସ ମଧ୍ୟରେ ବଡ଼ ଝଟକା ଲାଗିଛି । ହାତ ଛାଡ଼ିଛନ୍ତି ଅନେକ ବରିଷ୍ଠ କଂଗ୍ରେସ ନେତା । ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ କଂଗ୍ରେସ ଛାଡିବା ପରେ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ।
ଗୁଜୁରାଟ୍ ନିର୍ବାଚନ ପୂର୍ବରୁ କିଛିଦିନ ତଳେ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ । ଗତକାଲି ହାର୍ଦ୍ଦିକ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ଏକ ବିକଳ୍ପ ହୋଇ ରହିଛି । କଂଗ୍ରେମ ଛାଡିବା ପରେ ବିଜେପିରେ ମିଶିବା ନେଇ ଜାତୀୟ ଗଣମାଧ୍ୟମ ଦ୍ୱାରା ହାର୍ଦ୍ଦିକଙ୍କୁ ପ୍ରଶ୍ନ ପଚରାଯାଇଥିଲା । ସେ ଉତ୍ତରରେ ସ୍ପଷ୍ଟ ଜବାବ ଦେଇନଥିଲେ ମଧ୍ୟ ଯୋଗ ଦେବାକୁ ମନା ମଧ୍ୟ କରିନଥିଲେ ।
ହାର୍ଦ୍ଦିକ ଗଣମାଧ୍ୟମକୁ କହିଛନ୍ତି ଯେ, ନିର୍ବାଚନ ଆସିଲେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖି ପାରିବେ । ପଟିଦାର ନେତା କେବେ ଏବଂ କେଉଁ ଦଳରେ ଯୋଗଦେବେ, ଯେତେବେଳେ ନିଷ୍ପତ୍ତି ନିଆଯିବ, ତାହା ସମସ୍ତେ ଜାଣିପାରିବେ । ଏବେ ଯାଏଁ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସେ କହିଛନ୍ତି କି ସେ ତାଙ୍କର ବନ୍ଧୁ, ସମ୍ପର୍କୀୟ, ଶୁଭ ଚିନ୍ତକଙ୍କ ସହ ବସି ଏନେଇ ଆଲୋଚନା କରିବେ, ଯାହାଦ୍ୱାରା ଲୋକମାନେ ଉପକୃତ ହେବେ । ଲୋକଙ୍କ ମଧ୍ୟରେ ରହିବା ଓ ସର୍ବୋତ୍ତମ ବିକଳ୍ପ ବାଛିବା ହେଉଛି ତାଙ୍କର ଉଦ୍ଦେଶ୍ୟ ।