ଦେଶୀ ମଦ ଫାକ୍ଟ୍ରିକୁ ଜବତ କରିବାକୁ ଯାଇଥିବା ବେଳେ ଅବକାରୀ ବିଭାଗକୁ ମଦ ମାଫିଆଙ୍କୁ ଆକ୍ରମଣ, ୪ ଜଣ ଗୁରୁତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଧିନ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମ ନିକଟସ୍ଥ ବଣିଆବନ୍ଧ ରିଜର୍ଭ ଜଙ୍ଗଲରେ ଚାଲିଥିବା ବେଆଇନ ଚୋରା ଦେଶୀ ମଦ କରିଡର ଉପରେ ଚଢ଼ାଉ ପାଇଁ ଯାଇଥିବା ଅବକାରୀ ବିଭାଗର ମିଳିତ ସ୍କ୍ୱାର୍ଡ ଉପରକୁ ଆଜି ସ୍ଥାନୀୟ ମଦ ମାଫିଆ ମାନେ ଆକ୍ରମଣ କରିଛନ୍ତି।  ମାଫିଆଙ୍କ କାତି ଓ ଖଣ୍ଡା ଆକ୍ରମଣରେ ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡର ଜଣେ ଏଏସଆଇ ଓ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମର ଜଣେ ଡ୍ରାଇଭର ଆହତ ହୋଇଥିବା ବେଳେ ମାଫିଆମାନେ ଅବକାରୀ ବିଭାଗର ୪ଟି ଗାଡିକୁ ଠେଙ୍ଗାରେ ବାଡେଇ ଭାଙ୍ଗି ଚୁରମାର କରିବା ସହ ଗାଡି ଚକକୁ ହାଣି ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମାଫିଆଙ୍କ ଆକ୍ରମଣ ଚାଲିଥିବା ବେଳେ ଜୀବନ ବଞ୍ଚାଇବା ପାଇଁ କିଛି କର୍ମଚାରୀ ଘଟଣାସ୍ଥଳରୁ ମଧ୍ୟ ଦୌଡ଼ି ପଳାଇ ଯିବାକୁ ସକ୍ଷମ ହୋଇଥିଲେ ଘଟଣାସ୍ଥଳରୁ।

ମିଳିଥିବା ସୂଚନା ମୁତାବକ ଖୁଣ୍ଟୁଣୀ ଥାନା ଅଧିନ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମ ସନ୍ନିକଟ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଦୀର୍ଘ ବର୍ଷଧରି ବେଆଇନ ଭାବେ ଚାଲିଥିବା ଚୋରା ଦେଶୀମଦ କରିଡ଼ର ଉପରେ ଆଜି ସକାଳେ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ର ଷ୍ଟେଟ ଫ୍ଲାଇଙ୍ଗ ସ୍କାଡ, ମୋବାଇଲ ସ୍ବାଡ କଟକ ୟୁନିଟ ୧ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା।

ଏହି ସମୟରେ ଅବକାରୀ ବିଭାଗ ଖଣ୍ଡୁଆଳି ଗ୍ରାମ ଜାଭିୟର ସ୍କୁଲ ପଛପଟ ଜଙ୍ଗଲ ଠାରେ ବିଭାଗର ପାଞ୍ଚଟି ଗାଡ଼ି ରଖି ଜଙ୍ଗଲ ଭିତରେ ଦେଶୀମଦ ଭାଟି ଉପରେ ରେଡ୍ କରୁଥିବା ବେଳେ ଜଙ୍ଗଲ ଭିତରୁ ତିନିରୁ ପାଞ୍ଚ ଜଣ ସ୍ଥାନୀୟ ଅଞ୍ଚଳର ମଦ ମାଫିଆ ମୁହଁରେ ମୁଖା ପିନ୍ଧି ହାତରେ କାତି ଏବଂ ଠେଙ୍ଗା ଖଣ୍ଡାଧରି ଅବକାରୀ ବିଭାଗର ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏହି ସମୟରେ ଗାଡ଼ି ନିକଟରେ ଛିଡା ହୋଇଥିବା ମୋବାଇଲ ସ୍ବାଡ ଏସ୍ଆଇ ହେମନ୍ତ କୁମାର ମଲ୍ଲିକ ଓ ଫ୍ଲାଇଙ୍ଗ ସ୍କାଡ ଟିମ୍ ଡ଼୍ରାଇଭର କୃଷ୍ନମୋହନ ଦାସଙ୍କୁ ମାଫିଆମାନେ ଖଣ୍ଡାରେ ହାଣି ରକ୍ତାକ୍ତ କରିବା ସହ ଅବକାରୀ ବିଭାଗର ୪ ଟି ଗାଡ଼ିକୁ ବାଡ଼େଇ ଭାଙ୍ଗି ଚୁରୁମାର କରି ଗାଡ଼ିର ସମସ୍ତ ଚକାକୁ ହାଣି ପକାଇଥିଲେ ‌।

Leave A Reply

Your email address will not be published.