ଆସନ୍ତା ୧ରୁ ଆରମ୍ଭ ହେବ ଶ୍ରୀମନ୍ଦିର କଳାହାଟ ଦ୍ୱାର ରୂପା ଛାଉଣୀ କାମ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ଆସନ୍ତା ୧ରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ଯୋଗ କରୁଥିବା କଳାହାଟ ଦ୍ୱାର ରୂପା ଛାଉଣୀ କାମ। ପାଖାପାଖି ୫୦୦ କିଗ୍ରାର ରୁପା ଚାଦର ଏହି ଦ୍ୱାରରେ ବ୍ୟବହାର କରାଯିବ । ଜୁଲାଇ ଏକ ତାରିଖରେ ରଥଯାତ୍ରା । ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବା ପରେ ପରେ ଗର୍ଭଗୃହରେ ନୀତି ନଥିବ । ତେଣୁ ଫାଙ୍କା ପରିବେଶରେ କଳାହାଟ ଦ୍ୱାର କାମ ହେବ। ଦୁଇ କିମ୍ବା ତିନି ଦିନ ମଧ୍ୟରେ ରୁପା ଦ୍ୱାର ସ୍ଥାପନ ଓ ଚାଦର ପଡିବା କାମ ଶେଷ କରିବାକୁ କାର‌୍ୟ୍ୟସୂଚୀ ପ୍ରସ୍ତୁତ ହୋଇଛି । ଏହିଦ୍ୱାର ସ୍ଥାପନ ଓ ରୁପା ଚାଦର ଆବରଣ ଦେବାକୁ ମୁମ୍ବାଇରୁ କାରିଗରଙ୍କୁ ଡକାଯାଇଛି।

ଗୁରୁବାର ଦିନ କଳାହାଟ ଦ୍ୱାର ସ୍ଥାପନ, ରୁପା ଚାଦର ଅବରଣ ଦେବା କାମ ସହ ରଥଯାତ୍ରା ବେଳେ ନିୟମିତ ମରାମତି, ନୂତନ କାମ, ଗର୍ଭଗୃହର ଯାଞ୍ଚ, ସଫେଇ, ଗର୍ଭଗୃହ ଉପର ମହଲା ସ୍ଥିତି ଅନୁଧ୍ୟାନ କରିବାକୁ ବୈଠକ ଡକାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଦସ୍ୟ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅଧିକାରୀମାନେ ଆଲୋଚନା କରିଥିଲେ । ବୈଠକରେ କଳାହାଟ ଦ୍ୱାର ସ୍ଥାପନ, ରୁପା ଚାଦର ବିଛାଇବା କାର‌୍ୟ୍ୟକୁ ଅଗ୍ରାଧିକାର ଭିତ୍ତିର ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ନିଷ୍ପତ୍ତି ମୁତାବକ କଳାହାଟ ଦ୍ୱାରର କାମ ଆଗେଇ ଚାଲିବ । କଳାହାଟ ଦ୍ୱାରରେ ଲାଗିବାକୁ ଥିବା ବିଭିନ୍ନ କଳାକୃତି ସମ୍ପନ୍ନ ରୁପା ଚାଦରଗୁଡିକ ବି ପ୍ରସ୍ତୁତ ହୋଇ ସାରିଛି । ପାଖାପାଖି ୫୦୦ କିଲୋ ଓଜନର ଏହି ରୁପା ଚାଦରଗୁଡିକୁ ପୁରୀ ଜିଲ୍ଲା ଟ୍ରେଜେରିରେ ରଖାଯାଇଛି । ରଥଯାତ୍ରା ବେଳେ ଏହି ଚାଦରଗୁଡିକୁ ଆଣି କଳାହାଟ ଦ୍ୱାରରେ ଅବରଣ ଦିଆଯିବ ।

Leave A Reply

Your email address will not be published.