ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା: ଭାରତୀୟ ଦଳର ନେତୃତ୍ବ ନେବେ ନୀରଜ ଚୋପ୍ରା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ବ ନେବେ ନୀରଜ ଚୋପ୍ରା। ଏହି ପ୍ରତିଯୋଗିତା ଆସନ୍ତା ୧୯ ତାରିଖରୁ ବୁଦାପେଷ୍ଟରେ ଆୟୋଜିତ ହେବ। ବିଶ୍ବ ପ୍ରତିଯୋଗିତାକୁ ଭାରତର ୨୮ ଜଣିଆ ଦଳ ଯାଉଛି। ହେଲେ ଦଳ ବିଷୟରେ ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ପରିବର୍ତ୍ତେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଥିବାରୁ କେତେକ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଦଳରୁ ଗତ ଜୁଲାଇରେ ଏସୀୟ ଚାମ୍ପିଅନ୍‌ସିପ୍‌ ବେଳେ ଆହତ ହୋଇଥିବା ସଟ୍‌ପୁଟ ଖେଳାଳି ତାଜିନ୍ଦରପାଲ୍‌ ସିଂହଙ୍କୁ ବାଦ୍‌ ଦିଆଯାଇଛି। ସେହିପରି ହାଇଜମ୍ପ୍‌ରେ ଜାତୀୟ କୀର୍ତ୍ତିମାନ କରିଥିବା ତେଜଶ୍ବିନ ଶଙ୍କର, ୮୦୦ ମିଟର ଧାବକ କେଏମ୍‌ ଚନ୍ଦା ଓ ୨୦ କି‌ଲୋମିଟର ଚାଲିବାରେ ଜାତୀୟ କୀର୍ତ୍ତିମାନ କରିଥିବା ପ୍ରିୟଙ୍କା ଗୋସ୍ବାମୀ ଏସୀୟ କ୍ରୀଡ଼ା ପ୍ରସ୍ତୁତି ପାଇଁ ବିଶ୍ବ ଚାମ୍ପିଅନ୍‌ସିପ୍‌ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ ଦଳକୁ କ୍ରୀଡା ମନ୍ତ୍ରାଳୟ ସଂପୂର୍ଣ୍ଣ ଭାବେ ଆର୍ଥିକ ସହଯୋଗ ଯୋଗାଇ ଦେବ। ଏହି ସହାୟତା ମଧ୍ୟରେ ଦଳର ପ୍ରଶିକ୍ଷଣ, ଯିବା ଆସିବା, ଭିସା ଓ ଅନ୍ୟାନ୍ୟ ଭତ୍ତାକୁ ସାମିଲ କରାଯାଇଛି। ଖେଳାଳିମାନଙ୍କ ସହ ପ୍ରଶିକ୍ଷକ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ। ୨୮ ଜଣ ଖେଳାଳିଙ୍କ ସହିତ ମୋଟ୍‌ ୪୨ ଜଣିଆ ଦଳ ହଙ୍ଗେରି ଗସ୍ତ କରିବ ବୋଲି ସୂଚନା ଦିଆଯାଇଛି। ଘୋ‌ଷଣା ହୋଇଥିବା ୨୮ ଜଣିଆ ଖେଳାଳିଙ୍କ ମଧ୍ୟରୁ ୧୩ ଜଣ ଟାର୍ଗେଟ୍‌ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ) ଅଧିନରେ ପ୍ରସ୍ତୁତି କରିଥିଲା ବେଳେ ଅନ୍ୟ ୧୩ ଜଣ ପ୍ରଥମ ଥର ପାଇଁ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବେ। ଗତ ସଂସ୍କରଣରେ ୬ ଜଣ ବିଭିନ୍ନ ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଶୀର୍ଷ ୮ ଜଣଙ୍କ ମଧ୍ୟରେ ରହିପାରିଥିଲେ। ଅଲମ୍ପିଆନ୍‌ ନୀରଜ ରୌପ୍ୟ ପଦକ ଜିତିଥିଲେ। ଉକ୍ତ ପ୍ରତିଯୋଗିତାରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।

Leave A Reply

Your email address will not be published.