ବିଶ୍ବକପ୍ ୨୦୨୩: ଅକ୍ଟୋବର ୧୫ ନୁହେଁ, ୧୪ରେ ହେବ ଭାରତ-ପାକ୍ ମ୍ୟାଚ୍

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଅକ୍ଟୋବର ୧୫ ନୁହେଁ, ୧୪ରେ ହେବ ଭାରତ-ପାକ୍ ବିଶ୍ବକପ୍ ୨୦୨୩ ମ୍ୟାଚ୍। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଏହି ମ୍ୟାଚ ଖେଳାଯିବ । ପୂର୍ବରୁ ଅକ୍ଟୋବର ୧୫ରେ ମ୍ୟାଚ ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ସେହିଦିନ ଶାରଦୀୟ ନବରାତ୍ରୀ ଆରମ୍ଭ ହେଉଥିବାରୁ ମ୍ୟାଚ ତାରିଖ ବଦଳାଇବାକୁ ସୁରକ୍ଷା ଏଜେନ୍ସିମାନେ ଆଇସିସି ଓ ବିସିସିଆଇକୁ କହିଥିଲେ । ଏ ନେଇ ଏକ ବୋର୍ଡ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବୈଠକରେ ମ୍ୟାଚ୍ ଅକ୍ଟୋବର ୧୪ତାରିଖରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । କେବଳ ଭାରତ-ପାକିସ୍ତାନ ନୁହେଁ, ଅନ୍ୟ କେତେକ ମ୍ୟାଚ୍ ର ତାରିଖ ବଦଳାଇବା ସମ୍ଭବ। କିଛି ସମୟ ପରେ ବିସିସିଆଇ ଏହାର ଆନୁଷ୍ଠାନିକ ଘୋଷଣା କରିପାରେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏବଂ ବିସିସିଆଇ ଗତ ମାସରେ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିଥିଲେ ଏବଂ ଅହମ୍ମଦାବାଦର ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ ଏହି ମ୍ୟାଚ୍ ଆୟୋଜନ କରିଥିଲେ। ସେବେଠାରୁ ଅହମ୍ମଦାବାଦ ପାଇଁ ବିମାନ ଭଡ଼ା ଓ ହୋଟେଲ ଭଡ଼ା ଆକାଶଛୁଆଁ ହୋଇଛି ।

ଦର୍ଶକମାନେ ଅକ୍ଟୋବର ୧୫କୁ ଦେଖି ନିଜର ହୋଟେଲ ଓ ଯାତ୍ରା ବୁକିଂ କରିଥିଲେ । କିନ୍ତୁ ଏବେ ୧୪ ତାରିଖରେ ମ୍ୟାଚ ହେବାକୁ ଥିବାବେଳେ ଲୋକମାନେ ବଡ଼ ସମସ୍ୟାରେ ପଡ଼ିବା ଆଶଙ୍କା ରହିଛି । ଅକ୍ଟୋବର ୮ତାରିଖରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଅକ୍ଟୋବର ୬ ଓ ୧୨ ତାରିଖରେ ହାଇଦ୍ରାବାଦରେ ପାକିସ୍ତାନର ଦୁଇଟି ମ୍ୟାଚ୍ ଖେଳାଯିବ । ଏଣୁ ଗୋଟିଏ ଦିନ ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବାକୁ ଥିବାରୁ ବାବର ଆଜମଙ୍କ ଦଳ ଅଭ୍ୟାସ ପାଇଁ ଗୋଟିଏ ଦିନ କମ୍ ପାଇବ ।

Leave A Reply

Your email address will not be published.