ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଯମଯନ୍ତ୍ରଣା ଦେଲାଣି ଯମୁନା ନଦୀ । ଯମୁନା ନବୀର ଜଳସ୍ତର ମାତ୍ରାଧିକ ବୃଦ୍ଧି ହେତୁ, ଭାସୁଛି ରାଜଧାନୀ ଦିଲ୍ଲୀ । ବିଭିନ୍ନ ରାସ୍ତା ଉପରେ ନଈ ଭଳି ପାଣିର ସୁଅ ଛୁଟୁଛି । ନଦୀ ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ସମସ୍ତ ସ୍କୁଲ୍ ଏବଂ କଲେଜ ଆସନ୍ତା ରବିବାର ପର୍ୟ୍ୟନ୍ତ ବନ୍ଦ ରହିଛି । ସେହିପରି ଏମର୍ଜେନ୍ସି ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଘରୋଇ ଅଫିସଗୁଡ଼ିକ ୱାର୍କ ଫ୍ରମ ହୋମ୍ ଫର୍ମୁଲାରେ ଚାଲିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଦିଲ୍ଲୀରେ ବନ୍ୟା ସ୍ଥିତି ମୁକାବିଲା ପାଇଁ ୧୨ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ଶ୍ମଶାନ ବନ୍ଦ ହୋଇଯାଇଛି । ବିଭିନ୍ନ ମେଡିକାଲରେ ପାଣି ପଶିଯିବାରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀ ବିଧାନସଭା ନିକଟରୁ ମାତ୍ର ୩୫୦ ମିଟର ଦୂରରେ ନଦୀ ଜଳ ପହଞ୍ଚି ସାରିଛି । ଏପରିକି ସୁପ୍ରିମକୋର୍ଟ ନିକଟରେ ମଧ୍ୟ ପହଞ୍ଚିବାକୁ ଗଲାଣି ପାଣି । ଯାହାକୁ ନେଇ ଟେନସନରେ କେଜ୍ରିୱାଲ ସରକାର ।