ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତାତିରେ ସିଝୁଛି ସାରା ଓଡ଼ିଶା। ସକାଳୁ ସକାଳୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଜଳୁଛି ପଶ୍ଚିମ ଓଡ଼ିଶା। ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା। ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ। ବିଭିନ୍ନ ସ୍ଥାନରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ଏବଂ କିଛି ଜିଲ୍ଲାରେ ୭ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି ।
କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିପାରେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ୮ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ୟ୍ୟନ୍ତ ପିକ୍ ଆଓ୍ୱାର ଘୋଷଣା କରାଯାଇଛି।
ଏହି ସମୟରେ ବୟସ୍କ ଏବଂ ଶିଶୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ନଜରରେ ସବୁ ଜିଲ୍ଲାପାଳ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଗତକାଲି ରାଜ୍ୟର ୧୬ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା। ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ବଲାଙ୍ଗୀର ।