କାଲି ପୁଅକୁ ଦିଆଯାଇଥିଲା ଆଜି ବାପକୁ ଦିଆଗଲା କବର୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ଏନ୍‌କାଉଣ୍ଟରରେ ଗତ ଗୁରୁବାର ଦିନ ପୁଅର ମୃତ୍ୟୁ ଘଟିଥିବା ବେଳେ ପ୍ରୟାଗରାଜରେ ଶନିବାର ରାତିରେ ଅତିକ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛି। ଆକ୍ରମଣରେ ଅତିକ ସହିତ ତାର ଭାଇ ଅସରଫ ଅହମଦ ମଧ୍ୟ ନିହତ ହୋଇଛି। ଦୁହିଁଙ୍କ ଶବ ବ୍ୟବଚ୍ଛେଦ ପରେ ରବିବାର ସନ୍ଧ୍ୟାରେ କସାରୀ ମସାରୀ କବରସ୍ଥଳରେ ଅତିକ ଓ ଅସରଫକୁ କବର ଦିଆଯାଇଛି। ପ୍ରୟାଗରାଜର ଏସଆରଏନ ହସ୍ପିଟାଲରେ ଦୁହିଁଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ସେମାନଙ୍କ ମୃତଦେହକୁ କବରସ୍ଥଳକୁ ଅଣାଯାଇଥିଲା। ଏହି ସମୟରେ ଦୁହିଁଙ୍କ ପରିବାର ଲୋକ ଉପସ୍ଥିତ ଥିଲେ। ଅତିକର ଶେଷକୃତ୍ୟ ନୀତି ତା’ର ଦୁଇ ନାବାଳକ ପୁଅ ଅହଜାମ-ଅବନ୍ କରିଥିବା ସହ ଅସରଫର ଦୁଇ ଝିଅ ତା’ର ଶେଷକୃତ୍ୟ ନୀତି କରିଥିବା କୁହାଯାଉଛି।

କବର ଦିଆଯିବା ସମୟରେ କେବଳ ଅତିକ ଓ ଅସରଫର ଘନିଷ୍ଠ ସମ୍ପର୍କୀ‌ୟ ଏବଂ ପରିବାର ଲୋକ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି। ଦୁହିଁଙ୍କୁ କବର ଦିଆଯିବା ସମୟରେ କବରସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଲା ଗତକାଲି ସମାନ କବରସ୍ଥଳରେ ଅତିକର ପୁଅ ଅସଦକୁ କବର ଦିଆଯାଇଥିଲା। ଅନ୍ୟପକ୍ଷରେ ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ଜଣିଆ ବିଚାର ବିଭାଗୀୟ କମିସନ ଗଠନ କରିଛନ୍ତି। ଏହା ସହ ଅତିକ-ଅସରଫକୁ ହତ୍ୟା କରିଥିବା ୩ଜଣ ଅଭିଯୁକ୍ତ ଅରୁଣ ମୋର୍ଯ୍ୟ, ଲବଲେଶ ତିୱାରୀ ଏବଂ ସନ୍ନି ସିଂହଙ୍କୁ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।

ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଏଥି ସହିତ ଏହି ହତ୍ୟା ମାମଲାରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ହତ୍ୟା ମାମଲାରେ ଅଭିଯୁକ୍ତ ଲଭଲେଶ ତିୱାରୀ, ସନ୍ନି ସିଂ ଏବଂ ଅରୁଣ ମୋୖର୍ଯ୍ୟଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଏହି ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୦୨, ଧାରା ୩୦୭, ଆର୍ମସ ଆକ୍ଟର ଧାରା ୩, ଆର୍ମସ ଆକ୍ଟର ଧାରା ୭, ଆର୍ମସ ଆକ୍ଟର ଧାରା ୨୫, ଆର୍ମସ ଆକ୍ଟର ଧାରା ୨୭ ଅନୁଯାୟୀ ଏଫଆଇଆର ପଞ୍ଜିକୃତ ହୋଇଛି। ପଚରାଉଚରା ବେଳେ ଅଭିଯୁକ୍ତ ଦେଇଥିବା ସୂଚନା ସମ୍ପର୍କରେ ପୁଲିସ ବିସ୍ତୃତ ଭାବେ ଉଲ୍ଲେଖ କରିଛି।

Leave A Reply

Your email address will not be published.