ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚନ୍ଦ୍ରଯାନ-୩ ସଫଳତା ପଛରେ କେନ୍ଦ୍ରାପଡାର ଯୁବ ବୈଜ୍ଞାନିକ। ସେହି ଯୁବ ବୈଜ୍ଞାନିକ ଜଣକ ହେଉଛନ୍ତି ସୁଶିଲ କୁମାର ନାୟକ । କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିଆ ଗାଁରେ ତାଙ୍କ ଘର । ପିଲାଟି ଦିନରୁ ମହାକାଶ ଗବେଷଣା ସମ୍ପର୍କରେ ରୁଚି ରଖୁଥିବା ସୁଶିଲ ଏବେ ଇସ୍ରୋରେ ଯୋଜନା ଓ ସମନ୍ଵୟ ବିଭାଗର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଚନ୍ଦ୍ରଯାନ ସଫଳତା ପରେ ସୁଶୀଲଙ୍କ ଗାଁରେ ମିଠା ବାଣ୍ଟି ଉତ୍ସବ ପାଳନ କରୁଛନ୍ତି ଗ୍ରାମବାସୀ । ପାରାଦୀପ ପୋର୍ଟର ଅବସରପ୍ରାପ୍ତ କର୍ମଚାରୀ ମୁରଲୀଧର ନାୟକ ଓ ଗୃହିଣୀ ପାଞ୍ଚାଳୀ ନାୟକଙ୍କ ବଡ଼ପୁଅ ହେଉଛନ୍ତି ସୁଶିଲ । ତାଙ୍କ ବାପା ପାରାଦୀପରେ ପୋର୍ଟରେ କାର୍ଯ୍ୟ କରୁଥିବାରୁ ସୁଶୀଲ ସେଠାରେ ସ୍କୁଲ ଶିକ୍ଷା ଶେଷ କରିଛନ୍ତି । ସଫଳତା ସହ ମାଟ୍ରିକ୍ ପାସ୍ କଲାପରେ ସୁଶୀଲ ବେସିକ୍ ସାଇନ୍ସ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ସାରଙ୍ଗ ସ୍ଥିତ ଇନ୍ଦିରାଗାନ୍ଧୀ ବୈଷୟିକ ଅନୁଷ୍ଠାନରୁ ମେକାନିକାଲ ଡିଗ୍ରୀ ଇଞ୍ଜିନିୟର ଭାବେ ଉତ୍ତୀର୍ଣ୍ଣ ହୋଇ କର୍ମମୟ ଜୀବନ ଆରମ୍ଭ କରିଥିଲେ । ସୁଯୋଗ ପାଇ ସର୍ଵ ଭାରତୀୟ ସ୍ତରରେ ଇସ୍ରୋ ପକ୍ଷରୁ ଆୟୋଜିତ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ ।
ଚନ୍ଦ୍ରଯାନ ୩ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ସୁଶିଲ ଏହାର ଏକ ସ୍ଵତନ୍ତ୍ର ବିଭାଗର ନେତୃତ୍ୱ ନେଇଥିଲେ । ଏଥିପାଇଁ ଦୀର୍ଘ ୧୧ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ସୁଶିଲ୍ଙ୍କ ଗାଁରେ ଏହି ଖବର ପହଁଞ୍ଚିବା ପରେ ତାଙ୍କ ଗାଁରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ତାଙ୍କ ଘରେ ବାଜା ବଜାଇ ମିଠା ବାଣ୍ଟି ଗାଁ ଲୋକ ଖୁସି ପାଳନ କରୁଛନ୍ତି । ବୈଜ୍ଞାନିକ ସୁଶିଲ୍ ନାୟକ ଚନ୍ଦ୍ରଯାନ ୩ର ଉତକ୍ଷେପଣର ସମୟସୀମା ଏବଂ ଚନ୍ଦ୍ର ପୃଷ୍ଠରେ ଅବସ୍ଥାନ ପରେ ପରିଚାଳନା ନେଇ ଗଠିତ ବୈଷିକ ଟିମ୍ର ଜଣେ ସଦସ୍ୟ । ତେବେ ଏକ ୧୦ ଜଣିଆ ଉପ କମିଟିରେ ସେ ନେତୃତ୍ୱ ନେଉଥିବା ତାଙ୍କ ବାପା କହିଛନ୍ତି । କେବଳ ସୁଶୀଲ ନୁହଁନ୍ତି ତାଙ୍କ ଭାଇ ମଧ୍ୟ ଜଣେ ଇଞ୍ଜିନିୟର । ସେହିଭଳି ତାଙ୍କ ସ୍ତ୍ରୀ ବି ଜଣେ ଡାକ୍ତର