ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପରିଶ୍ରମ କେବେ ବୃଥା ଯାଏନି। ଉଚ୍ଚ ଶିକ୍ଷିତ ଶିକ୍ଷିତା ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ଏକମାତ୍ର ହିଁ ବିକଳ୍ପ ନୁହେଁ। ଦୃଢ ଆତ୍ମବିଶ୍ବାସର ସହିତ କିଛି ନୂଆ କରି ମଧ୍ୟ ସ୍ବାବଲମ୍ବୀ ହୋଇପାରିବ। କେବଳ ନିଜେ ରୋଜଗାର କରିବନି; ବରଂ ଅନ୍ୟମାନଙ୍କୁ ନିଯୁକ୍ତି ବି ଦେଇପାରିବ। ଏହାକୁ ପ୍ରମାଣିତ କରିଛନ୍ତି ଯୁବ ଚାଷୀ ଦମ୍ପତି ମନୋଜ ମହାପାତ୍ର ଓ ତାଙ୍କ ପତ୍ନୀ ଟି.ଏସ ମାହେଶ୍ୱରୀ ।ନିଜର ଆତ୍ମବିଶ୍ବାସ, ପରିଶ୍ରମ ଆଉ ଉଦ୍ୟମ ବଳରେ ନିଜର ପୈତୃକ ଜମିରେ ଅଭିନବ ଉପାୟରେ ପ୍ରତିଷ୍ଠା କରିଛନ୍ତି ମା ଦକ୍ଷିଣେଶ୍ୱରୀ କାଳୀ ମାଛ ଜାଆଁଳ କେନ୍ଦ୍ର । ଯାହା ଏବେ ରାଜ୍ୟର ଏକ ପ୍ରମୁଖ ମାଛ ଜାଆଁଳ ଯୋଗାଣକାରୀ ସଂସ୍ଥା ଭାବେ ଉଭା ହେବା ସହିତ ରାଜ୍ୟର ୬/୭ ଟି ଜିଲ୍ଲା କୁ ସୁଲଭ ମୂଲ୍ୟରେ ୧୫ ରୁ ଉର୍ଦ୍ଧ ଦେଶୀ ବିଦେଶୀ ପ୍ରଜାତିର ମାଛ ଜାଆଁଳ ଯୋଗାଇ ଦେଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।ଖାଲି ସେତିକି ନୁହଁ ଉଦ୍ୟାନ କୃଷି ଓ ସମନ୍ୱିତ ପନିପରିବା ଚାଷ କରି ଏବେ ଚର୍ଚ୍ଚାରେ ଯୁବ ଚାଷୀ ଦମ୍ପତି। ଆଉ ଯେଉଁଥି ପାଇଁ ସଫଳ ଚାଷୀ ଭାବେ ଜିଲ୍ଲା ଆଉ ରାଜ୍ୟ ସ୍ତରରେ ପାଇଛନ୍ତି ଅନେକ ପୁରସ୍କାର ଓ ସମ୍ମାନ। ହଁ ଦର୍ଶକ ଆମେ କହୁଛୁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ପଂଚାୟତ ଅଧୀନ ସୁରୁବଣ ଗ୍ରାମର ସଫଳ ଯୁବ ଚାଷୀ ଦମ୍ପତି ମନୋଜ ମହାପାତ୍ର ଓ ତାଙ୍କ ପତ୍ନୀ ଟି.ଏସ ମାହେଶ୍ୱରୀଙ୍କ କଥା ।
କୋଭିଡ ସମୟରେ କମ୍ପାନୀ ଚାକିରି ଛାଡ଼ି ନିଜ ଘରକୁ ଫେରିଆସିଥିବା ମନୋଜ ବିଭିନ୍ନ ପତ୍ରପତ୍ରିକା ,ୟୁ ଟ୍ୟୁବ ଚେନାଲ ରୁ “ବାୟୋ ପ୍ଲକ” ମାଛ ଉତ୍ପାଦନ ପ୍ରଣାଳୀ ସମ୍ପର୍କରେ ସୂଚନା ଓ ଜ୍ଞାନ କୌଶଳ ହାସଲ କଲେ ଆଉ ପତ୍ନୀ ଟି.ଏସ ମାହେଶ୍ୱରୀ ଙ୍କ ପ୍ରେରଣାରେ ମନୋଜ ୨୦୧୯ ମସିହାରେ ନିଜସ୍ଵ ଉଦ୍ୟମ ଆଉ ବ୍ୟୟରେ ଘର ବାଡ଼ିରେ ଗୋଟିଏ ସିମେଣ୍ଟ ଇଟାରେ “ବାୟୋ ପ୍ଲକ” କୁଣ୍ଡ ନିର୍ମାଣ କରି କଣ୍ଟା ବାଳିଆ, ଜଳଙ୍ଗ,ରୂପ ଚାନ୍ଦୀ ପ୍ରଜାତିର ଯାଆଁଳ କଲିକତା ଓ ଭଦ୍ରକ ସହରଭଙ୍ଗା ଆଣି ଉତ୍ପାଦନ ଆରମ୍ଭ କଲେ। ସ୍ଥାନୀୟ ଅଞ୍ଚଳ ବ୍ୟବସାୟୀ ଖବର ପାଇ କ୍ରୟ କଲେ,ବ୍ୟବସାୟ ଭଲ ଚାଲିଲା। ତାପରେ ପୁଣି ତାପର ବର୍ଷ ଆଉ ୪ଟି “ଵାୟୋ ଫ୍ଲକ୍ “ନିର୍ମାଣ କଲେ ମନୋଜ।ଜିଲ୍ଲା ମତ୍ସ୍ୟ ବିଭାଗ ଚାଷୀ ଦମ୍ପତିଙ୍କ କାର୍ଯ୍ୟଧାରା ଦେଖି ୩ ଲକ୍ଷ ୬୦ ହଜାର ଟଙ୍କାର ୬ଟି ସିମେଣ୍ଟ ବାୟୋ ଫ୍ଲକ୍ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ।ଆଉ ସବୁ ମିଶାଇ ଏବେ ମୋଟ ୩୦ଟି “ବାୟୋ ପ୍ଲକ” କୁଣ୍ଡରେ ଚାଲିଛି ମାଛ ଯାଆଁଳ ଉତ୍ପାଦନ ।ସେତିକିରେ ଅଟକି ଯାଇନଥିଲେ ଚାଷୀ ଦମ୍ପତି , ନିଜସ୍ୱ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରବାଡ଼ି କୁ ଲାଗି ୫ ଏକର ପୈତୃକ ଚାଷ ଜମିରେ ୫ଟି ବୃହତ ପୋଖରୀ ଖୋଳି ଆରମ୍ଭ କରିଥିଲେ ବୃହତ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ।ଆଉ ଏହି ଯାଆଁଳ ଉତ୍ପାଦନ କେନ୍ଦ୍ର ରୁ ରୋହି,ଭାକୁଡ, ମୀର, ଭେକ୍ଟୀ, ଚିତ୍ତଳ,ରୂପଚାନ୍ଦୀ,ଦେଶୀ ମାଗୁର ଆଦି ପ୍ରାୟ ୧୫ ପ୍ରକାର ଯାଆଁଳ ଉତ୍ପାଦନ କରି ଭଦ୍ରକ ,ଯାଜପୁର,ବାଲେଶ୍ଵର,କଟକ ,ଢେଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଅଧିକାଂଶ ମାଛ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଯୋଗଉଛନ୍ତି।
ସବୁଠୁ ବଡ଼ କଥା ଏହି କେନ୍ଦ୍ରରୁ ଯେଉଁମାନେ ୬ ହଜାର ଟଙ୍କା ମୂଲ୍ୟରେ ୧୮କିଲୋ ଯାଆଁଳ କିଣୁଛନ୍ତି ସରକାରୀ ସ୍ତରରେ ପୁରୁଷ ଙ୍କୁ ୩୬ ଶହ ଓ ମହିଳାଙ୍କୁ ୨୪ ଶହ ସବସିଡି ମିଳୁଛି।ସଫଳ ଚାଷୀ ତଥା ସ୍ୱତନ୍ତ୍ର ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର ଭାବେ ଏହି କେନ୍ଦ୍ରରେ ବିଭିନ୍ନ ଜିଲ୍ଲାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ମତ୍ସ୍ୟ ଚାଷୀ ମାନେ ଆସି ତାଲିମ ନେଉଥିବା ଦେଖିବାକୁ ମିଳିଛି ।ଖାଲି ସେତିକି ନୁହଁ ପୋଖରୀ ହୁଡ଼ାରେ ଝୁଡୁଙ୍ଗ,ସାରୁ,କଲରା,କାକୁଡି ସହିତ କଦଳୀ, ନଡ଼ିଆ ଓ କମଳା ଚାଷ କରି ଭଲ ପନିପରିବା ଉତ୍ପାଦନ କରି ସ୍ଥାନୀୟ ବଜାର ବେପାରୀଙ୍କୁ ମଧ୍ୟ ବିକ୍ରି କରୁଛନ୍ତି ଚାଷୀ ଦମ୍ପତି।ସବୁଠୁ ବଡ଼ କଥା ସ୍ଥାନୀୟ ଅଞ୍ଚଳର ୪/୫ ଜଣ ବେକାର ଯୁବକଙ୍କୁ ଏହି ଚାଷ କାର୍ଯ୍ୟରେ ମାସିକ ବେତନରେ ନିଯୁକ୍ତି ଦେଇ ନିୟୋଜିତ କରିଛନ୍ତି ମନୋଜ ଓ ଟିଏସ ମାହେଶ୍ୱରୀ। ସଫଳ ଚାଷୀ ଭାବେ ସଫଳତା ପାଇଁ ଜାତୀୟ ମତ୍ସ୍ୟ ଦିବସରେ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦୁଇଥର ସମ୍ମାନିତ କରିଥିବା ବେଳେ ରାଜ୍ୟ ସ୍ତରୀୟ ସଫଳ ଉଦ୍ୟୋଗୀ ଭାବେ ମଧ୍ୟ ପୁରସ୍କାର ପାଇଛନ୍ତି ଏହି ଦମ୍ପତୀ। ଭବିଷ୍ୟତରେ କୁକୁଡ଼ା ଚାଷ ଆଉ ଛେଳି ଚାଷ ପାଇଁ ମନ ବଳାଇ ଥିବା ଚାଷୀ ଦମ୍ପତି ସରକାରୀ ସହାୟତା ଅପେକ୍ଷାରେ । ଶେଷରେ ଯଦି ସରକାରୀ ସ୍ତରରେ ଏହି ଚାଷୀ ଦମ୍ପତିଙ୍କୁ ଆହୁରି ଅନେକ ପ୍ରକାର ସାହାଯ୍ୟ ଯୋଗାଇ ଦିଅନ୍ତି ତେବେ ଓଡ଼ିଶାର କାହିଁକି ସାରା ଦେଶରେ ମଧ୍ୟ ଏହି ଚାଷୀ ଦମ୍ପତି ଚାଷ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ଏଥିରେ ତିଳେ ମାତ୍ର ସନ୍ଧେହ ନାହିଁ।