ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜମୁଛି କଟକର ଐତିହାସିକ ବାଲିଯାତ୍ରା । ଉପର କିଲ୍ଲା ପଡ଼ିଆ ଓ ମହାନଦୀ ପଠା ତଳ ପଡ଼ିଆରେ ପଡ଼ିଛି ପ୍ରାୟ ଦେଢ଼ ହଜାର ଷ୍ଟଲ । ବାଲିଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଆକର୍ଷଣୀୟ ସାମଗ୍ରୀ ଗୁଡ଼ିକ ସହ ଦେଶର ୧୮ ରାଜ୍ୟର ବ୍ୟବସାୟୀ ଭାଗ ନେଇଛନ୍ତି । ଓରମାସରେ ଚଳିତ ବର୍ଷ ୪୫୦ଟି ଷ୍ଟଲ ଦେଖିବାକୁ ମିଳିଛି । ପାରମ୍ପରିକ ଖାଦ୍ୟପଦାର୍ଥ ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଓ ସାଜସଜ୍ଜା ସାମଗ୍ରୀର ଭଣ୍ଡାର ଦେଖିବାକୁ ମିଳିଛି ଓରମାସ ମେଳାରେ। କଟକିଆ ପ୍ରଡକ୍ଟସ” ନାମରେ ସ୍ୱତନ୍ତ୍ର ପ୍ୟାକେଜ କରିଛି ପ୍ରଶାସନ ।
ବିଭିନ୍ନ ସାମଗ୍ରୀକୁ ନେଇ ୮୦ ଟି ଷ୍ଟଲ କଟକିଆ ପ୍ରଡକ୍ଟସ ନାମରେ ଦେଖିବାକୁ ମିଳିଛି । ଗୁଜୁରାଟ, ରାଜସ୍ଥାନ ଓ ପଞ୍ଜାବ ଖାଦ୍ୟ ଶୈଳୀ ସାଙ୍ଗକୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ଫୁଡ଼ କୋର୍ଟରେ ଖୋଲିଛି । ଫୁଡ କୋର୍ଟରେ ମୋଟ ୩୦ ଟି ଷ୍ଟଲ ରହିଛି । ସମୁଦାୟ ୨୪୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓରମାସ୍ରେ ପସରା ଖୋଲିଛନ୍ତି । ଏଠାରେ ଓଡିଶାର ବରା ଆଳୁ କସା, ଦହିବରା, ମାଲପୁଆ,ଡାଲମା ଠାରୁ ଆରମ୍ଭ କରି ରାଜସ୍ଥାନୀ କଚୁଡି, ଢୋକ୍ଲା ଓ ପଞ୍ଜାବୀ ଆଳୁପରଟା, ଲଡୁ ସବୁ ମିଳୁଛି । ମୟୂରଭଞ୍ଜର ସବାଇ ଘାସ ତିଆରି ବିଭିନ୍ନ ସାମଗ୍ରୀ, ନୟାଗଡ଼ର ହ୍ୟାଣ୍ଡିକ୍ଯାଫ୍ଟ, କେନ୍ଦୁଝର ଜିଲ୍ଲାର ମନଲୋଭା ଟେରାକୋଟା ସାମଗ୍ରୀ ଓ ରାଜ୍ୟ ସରକାରଙ୍କର ବାମ୍ବୁ ମିଶନ ତରଫରୁ ପ୍ରସ୍ତୁତ ସାମଗ୍ରୀ ଷ୍ଟଲରେ ଗ୍ରାହକଙ୍କ ବେଶ ଭିଡ଼ ଜମୁଛି