ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ନେଇ ରିଜର୍ଭ ବ୍ୟାଙ୍କର ଘୋଷଣା ପରେ ଉଭୟ ସାଧାରଣ ଜନତା ଓ ମାଓବାଦୀ କ୍ୟାମ୍ପ ଏହି ବଡ ନୋଟକୁ ନେଇ ବିଚଳିତ ହୋଇପଡ଼ିଥିବା ବେଳେ ଓଡ଼ିଶା-ଛତିଶଗଡ଼ ସୀମାରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନଙ୍କ ମିଳିତ ଅପରେସନ୍ ସମୟରେ ଏକ ମାଓ କ୍ୟାମ୍ପରେ ୨ ହଜାର ଟଙ୍କିଆ ନୋଟର ବଣ୍ଡଲ ଠାବ କରାଯାଇଛି। ବିଜାପୁର ଏସପି ଅଞ୍ଜନେୟ ବର୍ଣ୍ଣେ କହିଛନ୍ତି ଯେ, ଡିଆରଜି ଯବାନମାନେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ କ୍ୟାମ୍ପରେ ଗଚ୍ଛିତ ଥିବା ୨ ହଜାର ଟଙ୍କିଆ ନୋଟର ଅନେକ ବଣ୍ଡଲ ଠାବ କରିଛନ୍ତି। ଏସପି ଆହୁରି ସୂଚନା ଦେଇଛନ୍ତି ଯେ ନୋଟ୍ ବଦଳାଇବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ମାଓବାଦୀ ନେତା ମାଲେସଙ୍କ ନିକଟରୁ ସେମାନେ ପ୍ରାୟ ୮ ଲକ୍ଷ ଟଙ୍କା ୨ ହଜାର ଟଙ୍କିଆ ନୋଟ୍ ଗ୍ରହଣ କରିଥିବା ଜଣାପଡିଛି। ଗିରଫ କରିବା ସହିତ ଡିଆରଜି ଅଧିକାରୀମାନେ ଉଭୟଙ୍କ ନିକଟରୁ ୨ ହଜାର ଟଙ୍କିଆ ନୋଟରେ ୬ ଲକ୍ଷ ଟଙ୍କା ଏବଂ ୧୧ଟି ବ୍ୟାଙ୍କ ପାସବୁକ୍ ଜବତ କରିଛନ୍ତି। ଏବେ ଏହି ମାମଲାର ତଦନ୍ତ ଚାଲିଛି। ଦୁର୍ନୀତିରେ ଏହି ବଡ ନୋଟ୍ ବ୍ୟବହାର ହେଉଥିବା ଜଣାପଡ଼ିବା ପରେ ଆରବିଆଇର ନୋଟର ପ୍ରଚଳନ ଉପରେ ରୋକ୍ ଲଗାଇବା ନିଷ୍ପତ୍ତି ଉଭୟ ସାଧାରଣ ଜନତା ଓ ବେଆଇନ କାର୍ଯ୍ୟକଳାପ ଉପରେ କି ପ୍ରଭାବ ପକାଉଛି ବୋଲି ସ୍ପଷ୍ଟ ହୋଇଛି ଏଥିରୁ।