ଓଡ଼ିଆ ନ୍ୟୁଜ୍: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି ୪ ଜଣ ନକ୍ସଲ। ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଭରତ କୁମାରଙ୍କ ସମ୍ମୁଖରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ଡିଭିସିଏମ ତଥା ସଚିବ ଗାନ୍ଧୀ ତାତି ଅରଫ ଅରବ ଅରଫ କମଲେଶ(୩୫),ଡିଭିଜନ କମିଟି ସଦସ୍ୟ ମେନୁ ଅରଫ ହେମଲାଲ(୩୫), ରଞ୍ଜିତ ଲେକାମି ଅରଫ ଅର୍ଜୁନ(୩୦) ଏବଂ କୋସି ଅରଫ କାଜଲ(୨୮)। ସମସ୍ତ ନକ୍ସଲଙ୍କ ଉପରେ ସରକାର ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।
ସେମାନେ ଗତ ୨୦୦୭ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ଛତିଶଗଡର ବହୁ ହିଂସାରେ ସେମାନେ ସାମିଲ ଥିବା ସ୍ବୀକାର କରିଛନ୍ତି। ଲଗାତାର ପୁଲିସ ଦ୍ବାରା ଚଢାଉରେ ସେମାନେ ଭୟଭୀତ ହୋଇ ଆତ୍ମସମର୍ପଣ କରିଛନ୍ତି। ଏଥିସହ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆତ୍ମନିର୍ଭରଶୀଳ ନୀତି ଦ୍ବାରା ପ୍ରଭାବିତ ହୋଇଛନ୍ତି। ସଂଗଠନରେ ଆଉ କୌଣସି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନଥିବା ଜାଣିବା ପରେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାର ଚିନ୍ତା କରି ଆତ୍ମସମର୍ପଣ କରିଥିବା କହିଛନ୍ତି। ସଂଗଠନ ଧିରେ ଧିରେ ଦୁର୍ବଳ ହେବାକୁ ଲାଗୁଥିବାରୁ ଆଗାମୀ ଦିନରେ ଆହୁରି ଅନେକ ନକ୍ସଲ ସଂଗଠନ ଛାଡିବେ ବୋଲି କୁହାଯାଇଛି।