ଖଲ୍ଲିକୋଟ(ଓଡ଼ିଆ ନ୍ୟୁଜ୍): କୋଟିପତି ନିଶା ବେପାରୀଙ୍କ ୬ କୋଟିର ସମ୍ପତ୍ତି ବାଜ୍ୟାପ୍ତ। ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗଂଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକଙ୍କ ପାଖାପାଖି ୬ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ବାଜ୍ୟାପ୍ତ କରିଛି କୋଲକତା ସ୍ଥିତ ଅର୍ଥ ମନ୍ତ୍ରାଳୟର କମ୍ପିଟେଣ୍ଟ ଅଥରିଟି । ରଜନୀକାନ୍ତଙ୍କ ଜବତ ସମ୍ପତି ମଧ୍ୟରେ ୪.୫୨ କୋଟି ଟଙ୍କାର ସୁନା ଅଳଙ୍କାର, ଘରେ ଥିବା ନଗତ ୭୫ଲକ୍ଷ ଟଙ୍କା, ବ୍ୟାଙ୍କ ଏନକାଉଣ୍ଟରେ ଜମା ଥିବା ୫ଲକ୍ଷ ଟଙ୍କା, ୩ଲକ୍ଷ ଟଙ୍କାର ଏଲଆଇସି ପଲିସ, ୩୨ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି। ଏହି ସବୁ ସମ୍ପତ୍ତି ବାଜ୍ୟାପ୍ତ ହୋଇଥିବା ତେବେ ତାଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିବା ନେଇ କମ୍ପିଟିଟି ଅଥରିଟି ଥାନା ଅଧିକାରୀଙ୍କୁ ମେଲ ଯୋଗେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୨୧ ମସିହା ଅକ୍ଟୋବର ୨୨ ତାରିଖରେ ରଜନୀକାନ୍ତ ନିଜ ସ୍କୁଟିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ୍ ତାଙ୍କୁ ଧରିଥିଲା। ପରେ ତାଙ୍କ ଘରେ ଚଢ଼ାଉ କରି ୩୫ କିଲୋ ଗଞ୍ଜେଇ, ୧୦କିଲୋ ଅଫିମ ଜବତ କରିଥିଲା । ଚଢ଼ାଉ ସମୟରେ ରଜନୀକାନ୍ତଙ୍କ ଘରୁ ୮ କେଜି ୫୦୦ ଗ୍ରାମ ସୁନା ଅଳଙ୍କାର, ଓ ନଗତ ୭୫ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏନେଇ ଖଲ୍ଲିକୋଟ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା।