ମଧ୍ୟପ୍ରଦେଶରୁ ଆସିଲା ଲୋମଟାଙ୍କୁରା ଖବର, ଜମି ବିବାଦରୁ ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳି କରି ହତ୍ୟା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମଧ୍ୟପ୍ରଦେଶରୁ ଆସିଲା ଲୋମଟାଙ୍କୁରା ଖବର, ଜମି ବିବାଦରୁ ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳି କରି ହତ୍ୟା ।  ମୋରେନାରେ ଏକ ଜମି ବିବାଦ ଘଟଣା ଉଗ୍ର ରୂପ ଧାରଣ କରିବାରୁ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୬ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଲୋମଟାଙ୍କୁରା ଘଟଣାର ଭିଡିଓ ଫୁଟେଜରୁ ଦେଖିବାକୁ ମିଳିଛି ଯେ ରାଇଫଲ ଧରି ଥିବା ଅନେକ ବ୍ୟକ୍ତି ଏକ ନିରସ୍ତ୍ର ଗୋଷ୍ଠୀକୁ କାଠ ବାଡ଼ିରେ ନିସ୍ତୁକ ପିଟିବା ପରେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଜିଲ୍ଲା ସଦର ମହକୁମା ଠାରୁ ୫୦ରୁ ୬୦ କିଲୋମିଟର ଦୂର ଲେପା ଗ୍ରାମରେ ଧୀର ସିଂହ ତୋମାର ଓ ଗଜେନ୍ଦ୍ର ସିଂହ ତୋମାରଙ୍କ ପରିବାର ମଧ୍ୟରେ ଜମି ବିବାଦକୁ କେନ୍ଦ୍ର କରି ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଛି।

ରିପୋର୍ଟରୁ ପ୍ରକାଶ, ୨୦୧୩ ମସିହାରେ ବର୍ଜ୍ୟବସ୍ତୁ ପକାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ସେତେବେଳେ ଧୀର ସିଂହ ତୋମାରଙ୍କ ପରିବାରର ୨ ଜଣଙ୍କୁ ହତ୍ୟା କରାଯାଇଥିଲା ଏବଂ ଗଜେନ୍ଦ୍ର ସିଂହ ତୋମାରଙ୍କ ପରିବାର ଗାଁ ଛାଡ଼ି ଅନ୍ୟତ୍ର ପଳାଇ ଯାଇଥିଲେ। ପରବର୍ତ୍ତୀ ସମୟରେ କୋର୍ଟ ବାହାରେ ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ବେଳେ ଆଜି ତାଙ୍କ ପରିବାର ଗାଁକୁ ଫେରଥିଲେ। ତେବେ, ଧୀର ସିଂ ତୋମାରଙ୍କ ପରିବାର ଲୋକେ ସେମାନଙ୍କ ଉପରକୁ ଲାଠିରେ ଆକ୍ରମଣ କରିବା ସହ ସେମାନଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଗୁଳିକାଣ୍ଡରେ ହତ୍ୟାର ଶିକାର ହୋଇଥିବା ୬ ଜଣଙ୍କ ମଧ୍ୟରେ ଗଜେନ୍ଦ୍ର ସିଂହ ତୋମାର ଓ ତାଙ୍କ ଦୁଇ ପୁଅ ଅଛନ୍ତି। ହତ୍ୟାପଛର ଉଦ୍ଦେଶ୍ୟ ସମ୍ପର୍କରେ ପୁଲିସ କହିଛି ଯେ ଜମି ବିବାଦକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀମଧ୍ୟରେ ପୁରୁଣା ଶତ୍ରୁତା ରହିଥିଲା। ପୀଡ଼ିତାଙ୍କ ସମ୍ପର୍କୀୟମାନେ ଆଜିର ହତ୍ୟାକାରୀଙ୍କ ପରିବାର ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୮ ଜଣଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସୂଚନା ଦେଇଛି ପୁଲିସ ।

Leave A Reply

Your email address will not be published.