ବୋରେଓ୍ଵଲ ଭିତରେ ପଡିଥିବା ରାହୁଲର ବନ୍ଧୁ ପାଲଟିଯାଇଥିଲେ NDRF ଯବାନ ସୁନୀଲ କୁମାର,୧୦୪ ଘଣ୍ଟା ତା ସହ କଥା ହୋଇ କରିଥିଲେ ରେସ୍କ୍ୟୁ
ଓଡିଆ ନ୍ୟୁଜ୍(ବ୍ୟୁରୋ): ବୋରେଓ୍ଵଲ ଭିତରେ ୫ ଦିନ କିପରି କାଟିଲେ ରାହୁଲ ? ଉଦ୍ଧାର ସମୟରେ ରାହୁଲ ଓ ଯବାନଙ୍କ ସହ କିପରି ରହିଥିଲା ସମନ୍ଵୟ । ଉଦ୍ଧାରକାରୀ ଟିମ୍ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ରାହୁଲଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଛି । କିନ୍ତୁ ବୋରେଓ୍ଵଲ ଭିତରେ ରାହୁଲଙ୍କ ୫ ଦିନ କିପରି କଟିଛି ସେ ସମୟର ଦୃଶ୍ୟକୁ ବଖାଣିଛନ୍ତି ଏନଡିଆରଏଫ ଯବାନ ସୁନୀଲ କୁମାର । ୫ ଦିନ ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ଟିମ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସୁଦ୍ଧା NDRF ଟିମ ସହ ଅତି ନିକଟତର ହୋଇପାରିଥିଲା ରାହୁଲ । ବୋରୱେଲ ଭିତରେ ରାହୁଲଙ୍କୁ ଖାଇବା ପିଇବାକୁ ଦେଉଥିଲା NDRF ଯବାନ । ଯାହାର ଆୱାଜରେ ରାହୁଲ ୧୦୪ ଘଣ୍ଟା ଜୀବନ ଯୁଦ୍ଧରେ ଜିତିକି ଆସିପାରିଛି ।
NDRF ଯବାନ ସୁନୀଲ କୁମାର ରାହୁଲଙ୍କ ଆଶାବାଡି ସାଜିଥିଲେ । ୫ଦିନ ଆଖି ପତା ନପକାଇ ତାର ପ୍ରତ୍ୟେକ ଠାରକୁ ଅନୁଧ୍ୟାନ କରୁଥିଲେ ସୁନୀଲ । ଯେଉଁଠି ବୁଝି ପାରୁନଥିଲେ ତାକୁ ରାହୁଲର ମା’ଙ୍କୁ ପଚାରି ବୁଝି ରାହୁଲକୁ ସହଯୋଗ କରୁଥିଲେ । ପ୍ରଥମ ଦିନ କିନ୍ତୁ ଯବାନ ସୁନୀଲଙ୍କ କଥାକୁ କୌଣସି ପ୍ରତିଉତ୍ତର ବା ଠାର ଦେଇ ନଥିଲେ ରାହୁଲ । ପରଦିନ ପରିବାର ଲୋକ ଆସିବା ପରେ ରାହୁଲର ଠାରକୁ ତାଙ୍କ ମା ଠିକରେ ଜାଣି ପାରି ଯବାନଙ୍କୁ ସହଯୋଗ କରିଥିଲେ । ରାହୁଲର ମାନସିକ ସ୍ଥିର ରହିବା ପାଇଁ ୬୫ଫୁଟ ତଳେ ଖେଳ ଖେଳୁଥିଲେ ସୁନୀଲ । ପାଣି ବାଲ୍ଟି ପକାଇଲେ ରାହୁଲ ପାଣି ଭର୍ତ୍ତି କରି ଉପରକୁ ଉଠାଇଦିଏ । ପାଖାପାଖି ୧୦ ବାଲ୍ଟି ପାଣି ରାହୁଲ ଦେଇଛି । ତେବେ ଏହି ଉଦ୍ଧାର କାର୍ଯ୍ୟ ପରେ ରାହୁଲର ଅତି ଘନିଷ୍ଠ ବନିଯାଇଥିବା NDRF ଯବାନ ସୁନୀଲ କୁମାର ସବୁଠାରୁ ଅଧିକ ଖୁସି । ତେବେ ଏହି ସଫଳତା ପାଇଁ ପୁରା ସବୁ ଟିମ୍କୁ ଶ୍ରେୟ ଦେଇଛନ୍ତି ରାହୁଲର ବନ୍ଧୁ ପାଲଟିିଥିବା ସୁନୀଲ ।