ଅଦ୍ବିତୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନୂଆଦିଲ୍ଲୀରେ କ୍ୟାପିଟାଲ୍ ଫାଉଣ୍ଡେସନ୍ ପକ୍ଷରୁ ମିଳିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ
ଓଡିଆ ନ୍ୟୁଜ୍(ବ୍ୟୁରୋ):ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ସମ୍ମାନ । ନୂଆଦିଲ୍ଲୀରେ କ୍ୟାପିଟାଲ୍ ଫାଉଣ୍ଡେସନ୍ ପକ୍ଷରୁ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସୁପ୍ରିମକୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ଏନ୍. ଭି. ରମଣା ତାଙ୍କୁ ସମ୍ମାନିତ କରିଛନ୍ତି । ଏହି ସମ୍ମାନ ସାଢ଼େ ୪ କୋଟି ଓଡ଼ିଆଙ୍କୁ ସମର୍ପିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ୧୯୯୯ ମହାବାତ୍ୟା ପରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନାରେ ଉଦାହରଣ ପାଲଟିଛି। ପ୍ରାକୃତିକ ମୁକାବିଲାରେ ପଦକ୍ଷେପ ନେଇ ଓଡ଼ିଶା ଜାତିସଂଘରୁ ପୁରସ୍କୃତ ହୋଇଛି। ଏକଦା ଦାରିଦ୍ର୍ୟ ପାଇଁ ଜଣାଶୁଣା ପାଇଁ ଆଜି ଦ୍ରୁତ ଦାରିଦ୍ର୍ୟ ଦୂରୀକରଣ ପାଇଁ ପରିଚୟ ଲାଭ କରିଛି। ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରାଯାଇପାରିଛି।

କୃଷକମାନଙ୍କ ପରିଶ୍ରମ ଫଳରେ ଓଡ଼ିଶା ଚାରି ଥର କୃଷି କର୍ମଣ ପୁରସ୍କାର ଲାଭ କରିପାରିଛି। ଦେଶରେ କୃଷକଙ୍କ ଆୟ ଦ୍ୱିଗୁଣ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇପାରିଛି। ଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଷ୍ଟିଲ ଓ ଆଲୁମିନିୟମ ଉତ୍ପାଦନରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ୨୦ ବର୍ଷରେ ରାଜ୍ୟରେ ଷ୍ଟିଲ ଉତ୍ପାଦନ ୧୪ଗୁଣ ବୃଦ୍ଧି ପାଇଛି। କୋଭିଡ ମହାମାରୀ ସମୟରେ ଓଡ଼ିଶା ଅନ୍ୟରାଜ୍ୟକୁ ଜୀବନ ରକ୍ଷାକାରୀ ଅମ୍ଲଜାନ ଯୋଗାଇ ଦେଇ ଅନେକ ଜୀବନ ରକ୍ଷା କରିପାରିଛି। ହକି ବିଶ୍ୱକପ ଆୟୋଜନ ସହ କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଆଜି ଓଡ଼ିଶା ଦେଶର ସ୍ପୋର୍ଟସ କ୍ୟାପିଟାଲ ହୋଇପାରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୮୦ପ୍ରତିଶତ ଲୋକ ଉପକୃତ ହୋଇପାରୁଛନ୍ତି। 5T ଓ ମୋ ସରକାର ମାଧ୍ୟମରେ ଲୋକଙ୍କ ବିଶ୍ୱାସ ଜିଣିପାରିଛନ୍ତି ବୋଲି କହିଛନ୍ତି ନବୀନ।।

ପୂର୍ବରୁ ୨୦୧୭ରେ ଆଉଟଲୁକ୍ ପକ୍ଷରୁ ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ କରାଯାଇଥିଲା । ନିକଟରେ ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭରେ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନିତ ହୋଇଥିଲେ । ଏବେ କ୍ୟାପିଟାଲ୍ ଫାଉଣ୍ଡେସନ୍ ପକ୍ଷରୁ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ ପ୍ରଦାନ କରିବା ପରେ ବିଭିନ୍ନ ମହଲରେ ଖୁସିର ମାହୋଲ । ଆଜିର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ବିଜେଡିର ଅନେକ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ ।