ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ, ୧୦ ତାରିଖରେ ୧୦ ଟା ୩୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ଯମାନେ ଯୋଗ ଦେଇଥିଲେ। ମୁଖ୍ଯ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ଓ ଦର୍ଶନ ବ୍ଯବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ସେବାୟତଙ୍କ ସହଯୋଗ କାମନା କରାଯାଇଥିଲା। ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସନ୍ତା ୧୦ ତାରିଖ ମଧ୍ୟାହ୍ନ ୧୨ ଟାରୁ ୧ ଟା ପର୍ଯ୍ଯନ୍ତ ଦର୍ଶନ କରିବେ। ସୁରକ୍ଷା ଦୃଷ୍ଟିରୁ ଦର୍ଶନର ଦେଢ଼ ଘଣ୍ଟା ପୂର୍ବରୁ ପ୍ରାୟ ୧୦ ଟା ୩୦ ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରକୁ ସୋଧ କରାଯାଇ କେବଳ ପାଳିଆ ସେବାୟତମାନେ ଶ୍ରୀମନ୍ଦିର ପରିସରରେ ରହିବେ। ଶ୍ରୀମନ୍ଦିର ପରିସରରେ ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବାର କାର୍ଯ୍ଯକ୍ରମ ରହିଛି। ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଦର୍ଶନ କରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ କରାଯିବ। ସିଂହଦ୍ାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିବେ। ଏ ସମସ୍ତ ଦର୍ଶନ ବ୍ଯବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ଅଧିକାଂଶ ପରିଚାଳନା କମିଟି ସଦସ୍ଯ ଓ ଛତିଶା ନିଯୋଗର ପ୍ରମୁଖ ସଦସ୍ଯ ସାମିଲ ହୋଇଥିଲେ।