ଚାଷୀମାନଙ୍କ ଆୟ ବୃଦ୍ଧିରେ ମାଛ ଚାଷ ସହାୟକ ହେବ, ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଓ ରପ୍ତାନୀର ବ୍ୟାପକ ସୁଯୋଗ ରହିଛି: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବିପୁଳ ଜଳସଂପଦ ଭରି ରହିଥିବାବେଳେ ମତ୍ସ୍ୟ ଉତ୍ପାଦନର ବୃଦ୍ଧି ଦିଗରେ ବ୍ୟାପକ ସୁଯୋଗ ରହିଛି । ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନାଗୁଡ଼ିକର ମାର୍ଗଦର୍ଶିକାର ସରଳୀକରଣ କରି ମତ୍ସ୍ୟଚାଷୀଙ୍କୁ ଏହାର ସର୍ବଧିକ ସୁଫଳ ପହଞ୍ଚାଇବା ସହ ସେମାନଙ୍କ ଆୟବୃଦ୍ଧି ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।
ଆଜି କୃଷି ଭବନଠାରେ ଆୟୋଜିତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀମାନଙ୍କ ବୈଠକରେ ମତ୍ସ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ଚାଷୀମାନଙ୍କୁ ଆଗୁଆ ମାଛ ଜାଅଁଳ ଉତ୍ପାଦନ ଓ ଯୋଗାଣକୁ ବିଭାଗ ପକ୍ଷରୁ ଅଗ୍ରାଧିକାର ଦିଆଯାଉଛି । ସମୀକ୍ଷାରୁ ଜଣାପଡ଼ିଛି ଯେ ୨୦୨୨ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ୨୦୯ କୋଟି ମାଛ ଜାଅଁଳ ଉତ୍ପାଦନ ସ୍ଥଳରେ ରେକର୍ଡ ପରିମାଣର ୨୮୦ କୋଟି ମାଛ ଜାଅଁଳ ଉତ୍ପାଦିତ ହୋଇପାରିଛି । ଅଧିକ ମାଛ ଜାଅଁଳ ମତ୍ସ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ରାଜ୍ୟର କ୍ଷାରିପାଣି ଅଞ୍ଚଳରେ ଚିଙ୍ଗୁଡ଼ି ଚାଷର ବିପୁଳ ସୁଯୋଗ ରହିଥିବାବେଳେ କ୍ଷାରିପାଣି ଅଞ୍ଚଳର ଉନ୍ନତିରେ ଦେଖାଯାଉଥିବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ସେହିପରି ଉପକୂଳ ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲାରେ ଥିବା କ୍ଷାରିପାଣି ଅଞ୍ଚଳର ଉନ୍ନୟନ ଦିଗରେ ଦେଖାଯାଉଥିବା କ୍ଷେତ୍ରୀୟ ସମସ୍ୟା ସଂପର୍କରେ ତିନିଦିନ ମଧ୍ୟରେ ରିପୋର୍ଟ ବିଭାଗକୁ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ
ଦେଇଛନ୍ତି ।
ସଂପ୍ରତି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ଗୋ-ସୁଗମ ପୋର୍ଟାଲର ଲାଭ ମତ୍ସ୍ୟଚାଷୀମାନେ ଯେପରି ସୁବିଧାରେ ପାଇପାରିବେ ସେଥି ନିମନ୍ତେ ପଦକ୍ଷେପ ନେବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ଦ୍ୱାରା ପ୍ରଣୟନ କରାଯାଉଥିବା ବିଭିନ୍ନ ଯୋଜନା ସଂପର୍କରେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ପ୍ରଚାରପ୍ରସାର ଦିଗରେ ମନ୍ତ୍ରୀ  ସ୍ୱାଇଁ ଗୁରୁତ୍ୱାରୋପ କରିଥିବାବେଳେ ଯୋଜନାର ସୁଫଳ ଚାଷୀମାନେ ଯେପରି ସିଧାସଳଖ ପାଇପାରିବେ ସେଥି ନିମନ୍ତେ କ୍ଷେତ୍ର ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ  ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । କର୍ତ୍ତବ୍ୟରେ ଖିଲାପ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ । ଭିନ୍ନକ୍ଷମ ଏବଂ ଟ୍ରାନ୍ସଜେଣ୍ଡରମାନଙ୍କୁ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସାମାଜିକ ଗଣମାଧ୍ୟମର ଉପଯୋଗ କରି ଇଆଇସି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ କହିଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ   ସୁରେଶ କୁମାର ବଶିଷ୍ଠ ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ କରିବା ନିମନ୍ତେ ଓଡ଼ିଶା ଜୀବିକା ମିଶନ ସହିତ ସମନ୍ୱୟ ବୈଠକ କରିବା ପାଇଁ କହିଥିଲେ । ଏଥି ସହିତ କେଜ କଲଚର ପଦ୍ଧତିରେ ମାଛଚାଷ ନିମନ୍ତେ ଚାଷୀମାନଙ୍କୁ ରିହାତି ପ୍ରଦାନ ଦିଗରେ ଭାରତ ସରକାରଙ୍କ ସହିତ ଆବଶ୍ୟକ ଆଲୋଚନା ଉପରେ ଗୁରୁତ୍ୱ ଦେଇଥିଲେ । ହୀରାକୁଦ ଜଳଭଣ୍ଡାର ପରେ ଇନ୍ଦ୍ରାବତୀ ଓ ରେଙ୍ଗାଲି ଜଳଭଣ୍ଡାରରେ ମଧ୍ୟ କେଜ କଲଚର ମାଛଚାଷ ଉପରେ ସଚିବ  ବଶିଷ୍ଠ ଗୁରୁତ୍ୱାରୋପ କରିଥିଲେ ।
ସେତୁ ଯୋଜନାରେ ଜଳାଶୟରେ ମାଛ ଉତ୍ପାଦନ ହେକଫର ପିଛା ୫ କେଜିରୁ ୫୦ରୁ ୬୦ କେଜି ବୃଦ୍ଧିପାଇଛି ବୋଲି ସେ କହିଥିଲେ ।

ସେହିପରି ଗୋ-ସୁଗମ ପୋର୍ଟାଲରେ ସ୍ଥାନିତ ହୋଇନଥିବା ଯୋଜନାଗୁଡ଼ିକୁ ଡିଏସ୍‌ଏସ୍‌ ପୋର୍ଟାଲରେ ସ୍ଥାନିତ କରିବା ପାଇଁ  ବଶିଷ୍ଠ ପ୍ରସ୍ତାବ ଦେଇଥିଲେ । ସମୁଦ୍ରରେ ମାଛ ଧରିବା ନିମନ୍ତେ କଟକଣା ଜାରି ହୋଇଥିବା ପରିପ୍ରେକ୍ଷୀରେ ମତ୍ସ୍ୟଜୀବୀମାନଙ୍କୁ ସହାୟତା ପ୍ରଦାନ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏତଦ୍‌ବ୍ୟତୀତ ବୈଠକରେ ମତ୍ସ୍ୟ ପୋଖରୀ ଯୋଜନା, ପଞ୍ଚାୟତ ପୋଖରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଛଚାଷ, ଫାର୍ମପଣ୍ଡରେ ମାଛଚାଷ ନିମନ୍ତେ ବ୍ୟବହୃତ ଯନ୍ତ୍ରପାତି ଓ ଉପକରଣ ଏବଂ ଭିତ୍ତିଭୂମିର ବିକାଶ ଦିଗରେ ବିଶଦ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.