ଶପଥ ନେଲେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାଏବ ସିଂହ ସୈନି। କ୍ରମାଗତ ଦ୍ୱିତୀୟ ଥର ପାଇଁ ସେ ରାଜ୍ୟ ମୁଖିଆ ଭାବେ ଶପଥ ନେଇଛନ୍ତି। ଏଥିସହ ବିଜେପି ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଛି। ତାଙ୍କ ଶପଥ ଗ୍ରହଣ ସମା‌ରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି।

ହାଇ ପ୍ରୋଫାଇଲ୍ ସମାରୋହରେ ସାଇନିଙ୍କ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ଗ୍ରହଣ କରୁଛି। ବୁଧବାର ଚଣ୍ଡୀଗଡ଼ରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ସାଇନି ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଏହି ବୈଠକରେ ବିଜେପି ପର୍ଯ୍ୟବେକ୍ଷକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଅନୀଲ ବିଜ୍ ଏବଂ କୃଷ୍ଣ ବେଦୀଙ୍କ ଦ୍ୱାରା ସାଇନିଙ୍କ ନାମ ନେଇ ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ନବ ନିର୍ବାଚିତ ବିଧାୟକ ମାନେ ଏହାକୁ ସମର୍ଥନ କରିଥିଲେ। ଆଉ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା।

ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ସୈନିଙ୍କ ଶପଥ ଉତ୍ସବରେ ଯୋଗ ଦେଇଛନ୍ତି। ଅକ୍ଟୋବର ୫ରେ ହରିୟାଣା ନିର୍ବାଚନ ପରେ ୮ରେ ଭୋଟ୍ ଗଣତି ହୋଇଥିଲା। ସମସ୍ତ ଏଗଜିଟ୍ ପୋଲର ଆକଳନକୁ ଭୁଲ୍ ପ୍ରମାଣିତ କରି ବିଜେପି ଲଗାତାର ତୃତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିଥିଲା। ରାଜ୍ୟର ମୋଟ ୯୦ ଆସନରୁ ବିଜେପିକୁ ୪୮ଟି ଆସନ ମିଳି ଥିବାବେଳେ କଂଗ୍ରେସ ମାତ୍ର ୧୧ରେ ସୀମିତ ରହିଥିଲା। ଫଳରେ ବହୁମତ ସହ ଦଳ ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ସୈନି କୁରୁକ୍ଷେତ୍ର ଜିଲ୍ଲାର ଲଦୱା ଆସନରୁ ବିଜୟୀ ହୋଇଛନ୍ତି।

Leave A Reply

Your email address will not be published.