ଚତୁର୍ଥ ଦିନ ଭାରତ ଯୋଡ଼ଯାତ୍ରାରେ ପିସିସି ସଭାପତିଙ୍କ ଟାର୍ଗେଟ, କହିଲେ ଲୋକଙ୍କ ସହିତ ନବୀନ ଓ ମୋଦି ସରକାର ବିଶ୍ୱାସଘାତକତା କରିଛନ୍ତି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପ୍ରଭାତରୁ ଚତୁର୍ଥ ଦିନର “ଭାରତ ଯୋଡ ଯାତ୍ରା-ଓଡ଼ିଶା” ବଡ଼ଚଣା ପେଟ୍ରୋଲ ଟାଙ୍କି ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ, ଚାଷୀ, ଶ୍ରମିକ, ବେକାର ଯୁବକ, ଛାତ୍ର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ବ୍ୟକ୍ତିବିଷେଶ ଏଥିରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରେ ସ୍ଥାନୀୟ ଅଧିବାସୀମାନେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ସ୍ୱାଗତ କରିବା ସହ ସେଠିକାର ସ୍ଥାନୀୟ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ଗଣମାଧ୍ୟମକୁ ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନବୀନ ଓ ମୋଦି ସରକାର ଲୋକଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । ଭୋଟ ହାତେଇ ନେବାପରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିନାହାନ୍ତି । ନଗଡ଼ାର ଚିତ୍ର ଯାଜପୁର ବିକାଶର ମାପକାଠି ।
କଳିଙ୍ଗନଗର ଆଦିବାସୀ ଗଣହତ୍ୟା ଘଟଣାରୁ ନବୀନ ସରକାରର ଆଦିବାସୀ ବିରୋଧି ମନୋଭାବ ସ୍ପଷ୍ଟ ପ୍ରକଟିତ । ସେଠାରେ ନବୀନ ସରକାର ଆଦିବାସୀଙ୍କ ରକ୍ତରେ ହୋଲି ଖେଳିଥିଲା । ଯାଜପୁର ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଧର୍ମଶାଳାର ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟା ଘଟଣା ପୋଲିସ ଫାଇଲତଳେ ଚପେଇ ଦିଆଯାଇଛି । ଏପରିକି ମା’ ବିରଜାଙ୍କ ପ୍ରତି ମଧ୍ୟ ଶାସକଦଳର ସମ୍ମାନ ନାହିଁ । ମା’ ବିରଜାଙ୍କ ମୂର୍ତି ବଦଳ ଘଟଣାର ତଦନ୍ତ ବାଟବଣା ହୋଇଯାଇଛି । ଏହା କେବଳ ଯାଜପୁର ନୁହେଁ ସାରା ଓଡିଶାର ଜନସାଧାରଣଙ୍କ ଭାବାବେଗକୁ ଆଘାତ କରିଛି । ଯାଜପୁର ଜିଲ୍ଲାର ଶିଳ୍ପମାନଙ୍କରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ।
ମେକଇନ ଓଡ଼ିଶା କନ୍କ୍ଲେଭ ଓଡିଶାବାସୀଙ୍କୁ ଭୁଆଁ ବୁଲାଇବାପାଇଁ ଉଦ୍ଦିଷ୍ଟ । ଯାଜପୁର ଜିଲ୍ଲାରେ ଅବସ୍ଥିତ ନିଳାଚଳ ଇସ୍ପାତ ନିଗମ ଭଳି ଉଦ୍ୟୋଗକୁ ରୁଗ୍ଣ କରାଯାଇ ଶେଷରେ ସାଗମାଛ ଦରରେ ଟାଟା କମ୍ପାନୀ ହାତରେ ସମର୍ପଣ କରିଦିଆଗଲା । ଏବେ ନିଯୁକ୍ତି ଓ ବିକାଶର ଭେଳିକି ଦେଖାଇ କୋଟି ସରକାରୀ ଅର୍ଥ ବ୍ୟୟ କରି ମେକଇନ ଓଡ଼ିଶା କନକ୍ଲେଭ କରାଇବାର ଯଥାର୍ଥତା କ’ଣ । ନବୀନ ସରକାର କେବଳ ଏମଓୟୁ ଦସ୍ତଖତ କରନ୍ତି କିନ୍ତୁ ଏହାକୁ ସାକାର କରିବାରେ ବିଫଳ ।
ଡଙ୍ଗାରୀ ପାହାଡ଼ରୁ ଲଘୁ ଖଣିଜ ଦ୍ରବ୍ୟର ଅବାଧ ଲୁଟ ଚାଲିଛି । ବ୍ରାହ୍ମଣୀ ଓ କେଲୁଅ ନଦୀରୁ ବାଲି ଲୁଟ ଚାଲଛି । ରାମକୋ ସିମେଣ୍ଟର ପ୍ରଦ୍ୟୁଷଣରେ ଲୋକେ ଅଣନିଶ୍ୱାସୀ । ଏହି ଜିଲ୍ଲାର ଶାସନ ଡୋରି କେତୋଟି ନିର୍ଦ୍ଦିଷ୍ଟ ପରିବାର ହାତରେ ୩୦ ବର୍ଷରୁ ଉର୍ଦ୍ଧଧରି ବନ୍ଧା ପଡ଼ିଛି । ସେମାନେ ଜିଲ୍ଲାବାସୀଙ୍କୁ ପ୍ରତାରିତ କରି ଜିଲ୍ଲାର ସଂପତିକୁ ହରିଲୁଟ କରୁଛନ୍ତି । ଏଠିକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିପର୍ଯ୍ୟସ୍ତ । ଯାଜପୁର ଜିଲ୍ଲା ରତ୍ନଗର୍ଭା ମାତ୍ର ଯାଜପୁର ଜିଲ୍ଳାର ବାସିନ୍ଦା ଉତ୍କଟ ଦାରିଦ୍ର୍ୟ ଓ ବେକାରୀର ଶିକାର । କଳିଙ୍ଗ ନଗରରର ଶିଳ୍ପାଂଚଳର ପ୍ରଦୁଷଣରେ ସ୍ଥାନୀୟ ବାସିନ୍ଦା ରୁଗଣଗ୍ରସ୍ତ । ଏମାନେ ଧୂଆଁ ଧୂଳି ଖାଉଛନ୍ତି ମାତ୍ର ସେଠାରେ ସ୍ଥାନୀୟ ନିଯୁକ୍ତି ନାହିଁ ।
ନବୀନ ଓ ମୋଦି ସରକାର ପାଇଁ ଓଡ଼ିଶାର ସ୍ୱାଭିମାନ, ସମ୍ମାନ ଓ ଗୌରବମୟ ଇତିହାସ ଆଜି ଲୁଣ୍ଠିତ । ଲୋକେ ଭୋକ ବିକଳରେ ଦାଦନ ଖଟିବାକୁ ଯାଇ ଓଡ଼ିଶା ମାଟି ଛାଡ଼ୁଛନ୍ତି । ଆମେ ଏକ ସଂକଟମୟ ପରିସ୍ଥିତି ଦେଇ ଗତିକରୁଛେ । ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ମୋଦି ଓ ନବୀନ କୁଶାସନର ବିକଳ ଚିତ୍ରକୁ ସିଧାସଳଖ ଭାରତ ଯୋଡ଼ ଯାତ୍ରା ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ସ୍ପଷ୍ଟ ଜାଣିହେଉଛି । ଚତୁର୍ଥ ଦିନର ଯାତ୍ରା ସଂଧ୍ୟା ସୁଦ୍ଧା ଜାର୍କାଠାରେ ପହଂଚିଛି । ଆସନ୍ତା କାଲି ପଂଚମ ଦିନର ଯାତ୍ରା ଆରମ୍ଭ ହେବ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବେ ଜେନା, ରାମଚନ୍ଦ୍ର ଖୁଂଟିଆ, ଗଣେଶ୍ୱର ବେହେରା, ଭୁଜବଳ ମାଝୀ, ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ମନୋଜ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ଅଂଶୁମାନ ମହାନ୍ତି, ରାଜନାରାୟଣ ମହାପାତ୍ର, ଦେବେନ୍ଦ୍ର ନାଥ ଶର୍ମା, ଚିନ୍ମୟ ବେଉରା, ଅଭିଷେକ ମହାନନ୍ଦ, ଶ୍ରୀନାଥ ମିଶ୍ର, କିଷାନ ପଣ୍ଡା, ସନ୍ତୋଷ ବେହେରା, ଅମୀୟ ପଟ୍ଟନାୟକ, ହଳଧର ସେଠୀ, ସୁବ୍ରତ ମହାପାତ୍ର, ପ୍ରଦୀପ ମହାପାତ୍ର, ସତ୍ୟବ୍ରତ ନାୟକ, ସୁଶାନ୍ତ ତ୍ରିପାଠୀ, ପଦ୍ମାକର ଗୁରୁ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ସତ୍ୟପ୍ରିୟ ସାମଲ, ମାନସ କର, ସନ୍ତୋଷ ବେହେରା, ଅନନ୍ତ ଦାସ, ରିତାଶ୍ରୀ ମହାନ୍ତି, ମନୋଜ ବିଶ୍ୱାଳ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିପ୍ଳବ ଶିଲାଦିତ୍ୟ, ବାଙ୍କନିଧି ବେହେରା, ବିଷ୍ଣୁ ରାଉତ, ନଳିନୀକାନ୍ତ ନାୟକ, ଦୁର୍ଯ୍ୟୋଧନ ବେହେରା, ଗଦାଧର ଦାସ, ଆଶିଷ ମଲ୍ଲିକ, ଦୀପକ ମହାପାତ୍ର, ବଳଭଦ୍ର ଦାସ, ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ ବୋଲି “ଭାରତ ଯୋଡ଼ ଯାତ୍ରା –ଓଡ଼ିଶା”ର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି ।