ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଜଣେ ବ୍ୟକ୍ତିଙ୍କ ଠାରୁ ୪୩ ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଭୁବନେଶ୍ବର କମିଶନରେଟ ପୋଲିସ ଜଣେ ବିଲ୍ଡରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ସତ୍ୟବିହାରରେ ରହୁଥିବା କେନ୍ଦ୍ରାପଡା ପାଟକୁରା ଅଞ୍ଚଳର ମନୋଜ କୁମାର ସାହୁ । ତାଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ସୌରଭ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ଭୁବନେଶ୍ୱର ସହର ଭିତରେ ଏକ ପ୍ଲଟ୍ କିଣିବାକୁ ଚାହୁଁଥିଲେ । ଇତି ମଧ୍ୟରେ ଅଭିଯୁକ୍ତ ମନୋଜଙ୍କ ବଜ୍ରସେଣ ନିର୍ମାଣର ସୁଲୋଚାନା ସେଠୀ ନାମକ କର୍ମଚାରୀ ସହ ଯୋଗାଯୋଗ କରିଥିଲେ । ତାଙ୍କୁ ପାହାଳ ଥାନା ଅଧୀନରେ ଥିବା ଶିବ ଶକ୍ତି ନଗରରେ ଅବସ୍ଥିତ ବଜ୍ରସେଣ ନିର୍ମାଣର ପ୍ରକଳ୍ପ ବିଷୟରେ ପଚାରିଥିଲେ । ଏହା ପରେ ଗତବର୍ଷ ଡିସେମ୍ବରରେ ବଜ୍ରସେଣ ନିର୍ମାଣକୁ ଡକାଇଥିଲେ ଏବଂ ମନୋଜଙ୍କ ସହିତ ପ୍ଲଟର ମୂଲ୍ୟ ପଚାରି ବୁଝିଥିଲେ । ଚୂଡ଼ାନ୍ତକରଣ ପରେ ୨ ହଜାର ବର୍ଗଫୁଟ ପାଇଁ ୪୩ ଲକ୍ଷ ଟଙ୍କା ପ୍ଲଟର ମୂଲ୍ୟ ନିର୍ଦ୍ଧାରଣ ହେଇଥିଲା । ସୌରଭ ୨ଲକ୍ଷ ଟଙ୍କା ମନୋଜଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ ।
ପରବର୍ତ୍ତୀ ସମୟରେ ସୌରଭଙ୍କ ଅନେକ ଅନୁରୋଧ ସତ୍ୱେ ମନୋଜ ଉକ୍ତ ପ୍ଲଟର କୌଣସି ଅଧିକାର ଦେଇ ନଥିଲେ କିମ୍ବା ନେଇଥିବା ଅଗ୍ରୀମ ଟଙ୍କାକୁ ଫେରସ୍ତ କରି ନଥିଲେ । ଏନେଇ ସେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଅଭିଯୁକ୍ତ ଅନ୍ୟ ଏକ ମାମଲାରେ ଅଭିଯୁକ୍ତ ମନୋଜ ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡିଥିଲା । ତଦନ୍ତ ସମୟରେ ମନୋଜ ଏହି ୨ଟି ମାମଲାର ଅଭିଯୋଗକାରୀଙ୍କ ଠାରୁ ଠକେଇ କରିଥିବା ସ୍ୱୀକାର କରିଥିଲେ ।