ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରବଳ ତାତିରେ ଆଉଟୁପାଉଟୁ ହେଉଛନ୍ତି ଜନଜୀବନ। ଝାଂଜି ପବନ ସାଙ୍ଗକୁ ଟାଣ ଖରା ବଂଚିବା ମୁସ୍କିଲ କରିଦେଲାଣି । ଏହାରି ଭିତରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ରବିବାରଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । କାଳବୈଶାଖୀର ପ୍ରଭାବ ଉପକୂଳରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସବୁଠି ବର୍ଷା କରାଇବ ।
୧୯ ତାରିଖ ଯାଏ ଏଭଳି ସ୍ଥିତି ରହିବ । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି, ୧୬ ତାରିଖରେ ରାଜ୍ୟର ୧୨ ସ୍ଥାନରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରରେ ବର୍ଷା ହୋଇପାରେ । ୧୭ ତାରିଖ ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୮ରେ ଉତ୍ତର ଉପକୂଳ ଓଡ଼ିଶା ସହ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।
୧୯ରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।ଆଇଏମ୍ଡି ଜିଏଫ୍ଏସ ମଡେଲ୍ର ପୂର୍ବାନୁମାନ ଅନୁସାରେ ୧୬ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଯିବ । ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାର ଅନେକ ଅଞ୍ଚଳରେ କିନ୍ତୁ ତାତି ଜାରି ରହିବ ।ସୋମବାର ଓ ମଙ୍ଗଳବାର ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳକୁ ଛାଡ଼ି ଦେଲେ ଆଉ କୌଣସି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବ ନାହିଁ । ୨୦ ତାରିଖ ପରେ ସାରା ରାଜ୍ୟରେ ଦିନ ତାପମାତ୍ରା ସ୍ୱାଭାବିକ୍ ରହିବ । କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ତାପମାତ୍ରା ୪୦ ଡେଇଁବ ନାହିଁ ବୋଲି ଜିଏଫ୍ଏସ ମଡେଲ ଆକଳନ କରିଛି । ଶୁକ୍ରବାର ଭଳି ଶନିବାର ବି ରାଜ୍ୟରେ ଗ୍ରୀଷ୍ମ ଲହରୀ ବହିଥିଲା । ଯଦିଓ ଶୁକ୍ରବାର ତୁଳନାରେ ଅଧିକାଂଶ ସ୍ଥାନର ତାପମାତ୍ରା ଶନିବାର କମ୍ ଥିଲା ତଥାପି ଆଶ୍ୱସ୍ତି ମିଳିନଥିଲା ।
ଦିନ ୧୧ଟାରୁ ବାହାରକୁ ଗଲେ ଦେହ, ହାତ ପୋଡ଼ି ପକାଉଥିଲା । ୧୨ଟା ପରେ ସ୍ଥିତି ଅସମ୍ଭାଳ ହେଲା । ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକେ କଲବଲ ହୋଇଥିଲେ । ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ବୌଦ୍ଧ ପଛକୁ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ତାଲିକାର ଦ୍ୱିତୀୟରେ ଥିଲା । ଏଠାରେ ତାପମାତ୍ରା ୪୨.୨ ଡିଗ୍ରୀ ରହିଥିଲା । ତାଳଚେରରେ ୪୨, ଭୁବନେଶ୍ୱର ଓ ବଲାଙ୍ଗୀରରେ ୪୧.୭, ରାଉରକେଲାରେ ୪୧.୬, ଭବାନୀପାଟଣା ଓ କଟକରେ ୪୧.୨, କେନ୍ଦୁଝର, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ୪୧, ଢେଙ୍କାନାଳରେ ୪୦.୮, ସମ୍ବଲପୁରରେ ୪୦.୯, ଚାନ୍ଦବାଲି ଓ ସୋନପୁରରେ ୪୦.୭, ପାରଳାଖେମୁଣ୍ଡିରେ ୪୦.୪, ହୀରାକୁଦରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।