ଜଳୁଛି ଝାରସୁଗୁଡା ,୪୦ଡିଗ୍ରୀ ଟପିଲା ତାପମାତ୍ରା

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଟାଣ ଖରାକୁ ଝାଞ୍ଜି ପବନ ଜନଜୀବନକୁ ମୁସ୍କିଲ କରିଦେଲାଣି । ନା ଘରେ ରହି ହେଉଛି, ନା ବାହାରେ ରହି ହେଉଛି । ସବୁଆଡେ ଖାଲି ତାତି । ସକାଳ ନହେଉଣୁ ବାଘ ଭଳିଆ ମାଡିଆସୁଛି ଖରା, ଗୁଳୁଗୁଳି । ଉପକୂଳଠୁ ଆରମ୍ଭ କରି ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡିଶା ସବୁଠି ଲୋକେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି । ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ସପ୍ତାହେ ହେଲାଣି ଏଭଳି ଅବସ୍ଥା ଜାରି ରହିଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ।
ଝାରସୁଗୁଡାର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି । ପାଣିକେନ୍ଦ୍ରର ସୂଚନା ଅନୁସାରେ, ଦିନ ସାଢେ ୧୧ଟା ସୁଦ୍ଧା କେନ୍ଦୁଝରରେ ତାପମାତ୍ରା ୩୯.୪ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୮.୬, ବାଲେଶ୍ୱର ଓ ହୀରାକୁଦରେ ୩୮.୪, ଚାନ୍ଦବାଲିରେ ୩୭.୬,ଗୋପାଳପୁରରେ ୩୬, ପୁରୀରେ ୩୪ ଓ ପାରାଦୀପରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ,ଗତକାଲି ରାଜ୍ୟରେ ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର ଥିଲା । ଝାରସୁଗୁଡାର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଥିଲା ବେଳେ ବୌଦ୍ଧରେ ୪୨.୫, ସମ୍ବଲପୁରରେ ୪୨.୪, ତାଳଚେରରେ ୪୨.୨ , ସୁନ୍ଦରଗଡ ସମେତ ଟିଟିଲାଗଡ ଓ ମାଲକାନଗିରିରେ ୪୧.୫, ବଲାଙ୍ଗିରରେ ୪୧.୨, ଅନୁଗୋଳରେ ୪୧.୧, ରାଉରକେଲାରେ ୪୧, ରାଜଧାନୀ ଭୁବନେଶ୍ୱର ଓ କଟକରେ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ଅନ୍ୟପଟେ ଆଜିଠୁ କାଳବୈଶାଖୀ ବର୍ଷା ହେବ ବୋଲି କୁହାଯାଉଥିଲା କିନ୍ତୁ ଆଜି ବର୍ଷାର ଦେଖା ନାହିଁ । କିନ୍ତୁ ଅଧିକ ଗୁଳୁଗୁଳି ହେଉଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.