ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରବଳ ତାତିରେ ରାଜଧାନୀର ହାଲ ବେହାଲ । ଡହଡହ ଖରାରେ ସିଝୁଛି ସାରା ରାଜ୍ୟ ।ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ପ୍ରବଳ ଖରା ଏବଂ ଗରମ ଯୋଗୁଁ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଆହୁରି ୩ ଦିନ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଦିନ ୮ଟା ପରେ ଘରୁ ବାହାରକୁ ବାହାରିବା ମୁସକିଲ ହୋଇଯାଇଛି।
ଜରୁରୀ କାମ ଯୋଗୁଁ ବାହାରକୁ ଯାଉଥିବା ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼ୁଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ଵରର ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ୪୦.୨ ଡିଗ୍ରୀ, କେନ୍ଦୁଝରରେ ୩୯.୨ ଡିଗ୍ରୀ, ସମ୍ବଲପୁରରେ ୩୮.୬ ଡିଗ୍ରୀ ଏବଂ ହୀରାକୁଦରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ୩୬.୪ ଡିଗ୍ରୀ, ଗୋପାଳପୁରରେ ୩୪.୬ ଡିଗ୍ରୀ, ପୁରୀରେ ୩୪.୧ ଡିଗ୍ରୀ ଏବଂ ପାରାଦୀପରେ୨୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଜି ଦିନ ତମାମ ଗ୍ରୀଷ୍ମ ପ୍ରକୋପ ଆହୁରି ବିଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜି ସବୁଠାରୁ ଉତ୍ତପ୍ତ ସହର ଥିଲା ବାରିପଦା। ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। କେବେ କାଳ ବୈଶାଖୀ ଆସିବ, ତାହାକୁ ଚାତକ ପରି ଅନେଇବସିଛନ୍ତି ଲୋକେ ।