ଭାରତରେ ବଢୁଛି, ଜାପାନରେ କମୁଛି ଜନସଂଖ୍ୟା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଭାରତ ବିଶ୍ୱର ସବୁଠୁ ଜନସଂଖ୍ୟା ବହୁଳ ରାଷ୍ଟ୍ର ହୋଇଛି।  କିନ୍ତୁ ଜାପାନର ଜନସଂଖ୍ୟା ଏବେ ଚିନ୍ତାର କାରଣ ହେଲାଣି। ପ୍ରତି ବର୍ଷ ଜନ୍ମ ହାର ହ୍ରାସ ହୋଇ ଚାଲୁଥିବା ବେଳେ ସରକାର ଏବେ ଲୋକଙ୍କୁ ପ୍ରଜନନ ପାଇଁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଦେଉଛନ୍ତି। ସେହିପରି ପିଲାଙ୍କ ପାଳନ ପୋଷଣ ପାଇଁ ମଧ୍ୟ ସରକାର ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଜାପାନୀମାନେ ଏବେ ସନ୍ତାନ ପ୍ରଜନନ ଲାଗି ଏତେ ଆଗ୍ରହୀ ହେଉ ନାହାନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ  ଜାପାନୀ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ହେଉଥିବା ବେଳେ ଅନେକ ସ୍କୁଲ ବନ୍ଦ ହୋଇଗଲାଣି। ଫୁକୁସିମା ପ୍ରିଫେକ୍ଚରର ଏକ ଦୁର୍ଗମ ଅଞ୍ଚଳରେ ସ୍କୁଲଟିଏ ରହିଛି। ଯେଉଁଠି ଏବେ ଖୁବ୍ କମ୍ ଛାତ୍ର ଏବେ ପଢୁଛନ୍ତି। ଏହି ସ୍କୁଲରେ ଆଡମିସନ ହେଉ ନଥିବାରୁ ସ୍କୁଲକୁ ବନ୍ଦ କରିଦେବାକୁ କର୍ତ୍ତୃପକ୍ଷ ବିଚାର କରୁଥିବା ଜଣାପଡିଛି। ସ୍କୁଲରେ ଏବେ ଶେଷ ଦୁଇ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କର ପଢା ମଧ୍ୟ ଏବେ ଶେଷ ହେବା ଉପରେ। ଏହି ଦୁଇ ଛାତ୍ରଛାତ୍ରୀ ସ୍କୁଲ ଛାଡିବା ପରେ ଏଠାରେ ପଢିବାକୁ ଆଉ କେହି ଛାତ୍ରଛାତ୍ରୀ ନାହାନ୍ତି। ୟୁମୋତି ଜୁନିୟର ହାଇସ୍କୁଲ ନାମକ ଏହି ସ୍କୁଲଟି ବେଶ ପୁରୁଣା। ଏଥିରେ ତେନ ଇ ଗାଁର ପିଲାମାନେ ପାଠ ପଢନ୍ତି। ହେଲେ ଏବେ ଗାଁର ୧୦ ପ୍ରତିଶତ ଲୋକଙ୍କ ଆୟୁ ୧୮ବର୍ଷରୁ କମ୍। ତଥ୍ୟରୁ ଜଣାପଡୁଛି ଛାତ୍ରଛାତ୍ରୀଙ୍କ ଅଭାବ ଯୋଗୁ ଜାପାନରେ ଏବେ ବାର୍ଷିକ ୪୫୦ଟି ସ୍କୁଲ ବନ୍ଦ ହେଉଛି।

୨୦୦୨ରୁ ୨୦୨୦ ମଧ୍ୟରେ ଦେଶର ପ୍ରାୟ ୯ ହଜାର ସ୍କୁଲ ବନ୍ଦ ହୋଇଗଲାଣି। ଏହାର ମୁଖ୍ୟ କାରଣ ହେଉଛି ଦୁର୍ଗମ ଅଞ୍ଚଳରେ ଥିବା ସ୍କୁଲମାନଙ୍କରେ ଏବେ ଛାତ୍ରଛାତ୍ରୀ ଆଉ ଆଡମିସନ ନେଉ ନାହାନ୍ତି।ଜାପାନର ଏବେ ଜନସଂଖ୍ୟା ପରିସ୍ଥିତି କଣ ତାହା ଏହି ଉଦାହରଣରୁ ସହଜରେ ବୁଝା ଯାଇପାରେ। ଗତବର୍ଷ ଅର୍ଥାତ ୨୦୨୨ ମସିହାରେ ସାରା ଦେଶରେ ମାତ୍ର ୮ ଲକ୍ଷ ଶିଶୁ ଜନ୍ମ ହୋଇଛନ୍ତି। ଦେଶରେ ଶିଶୁ ଜନ୍ମହାର ହ୍ରାସ ହେବାରେ ଲାଗିଛି। ଏଥିପାଇଁ ଜାପାନୀ ଅଭିଭାବକମାନେ ଯାହା କହୁଛନ୍ତି ତାହା ହେଉଛି ପିଲାଙ୍କ ପାଳନପୋଷଣ ବାବଦ ଖର୍ଚ୍ଚ। ଦେଶରେ ପିଲାଙ୍କ ପାଳନ ପୋଷଣ ଖର୍ଚ୍ଚ ବଢି ବଢି ଚାଲିଥିବାରୁ ଦମ୍ପତ୍ତି ବିବାହ ପରେ ସନ୍ତାନ ଉତ୍ପାଦନ କରିବାକୁ ଚାହୁଁ ନାହାନ୍ତି।

Leave A Reply

Your email address will not be published.