ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ୨୦୨୫ ସୁଦ୍ଧା ୨୦% ଇଲେକ୍ଟ୍ରିକ ଯାନ ପଞ୍ଜୀକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ନୀତି ୨୦୨୧ ପ୍ରଣୟନ କରିଥିବାବେଳେ ଉପଭୋକ୍ତାମାନଙ୍କୁ ଆର୍ଥିକ ରିହାତି ପ୍ରଦାନ କରାଯାଉଛି । ଅନ୍ୟ ରାଜ୍ୟରେ ସର୍ବୋତମ ବ୍ୟବସ୍ଥାକୁ ଅନୁସରଣ କରି ରିହାତି ହାର ବୃଦ୍ଧି କରିବା ପାଇଁ ନିଷ୍ପତି ନିଆଯାଇଛି । ବିଜୁ ସେତୁ ଯୋଜନାରେ ରାଜ୍ୟରେ ଆଉ ୮୬୬ଟି ନୂଆ ସେତୁ ନିର୍ମାଣ କରାଯିବ ।
୨୦୨୫-୨୬ ପର୍ଯ୍ୟନ୍ତ ବିଜୁ ସେତୁ ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି । ନୂଆ ସେତୁ ସହ ବର୍ତମାନ ଚାଲୁଥିବା ସେତୁଗୁଡ଼ିକୁ ସମ୍ପୂର୍ଣ୍ଣ କରାଯିବ । ଏଥିପାଇଁ ଅତିରିକ୍ତ ୩୫୯୭ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ଲକ୍ଷ୍ୟ ରଖାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ୨୦୧୧-୧୨ରେ ବିଜୁ ସେତୁ ଯୋଜନାର ଶୁଭାରମ୍ଭ ହୋଇଥିଲା । ତିନି ବର୍ଷ ମଧ୍ୟରେ ଆରଡ଼ିଏସଏସ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ଯୋଜନାର ପ୍ରକଳ୍ପ ମୂଲ୍ୟ ୬୨୮୪ କୋଟି ଟଙ୍କା ଥିବାବେଳେ ରାଜ୍ୟ ସରକାରଙ୍କ ଅଂଶ ୨୩୪୨ କୋଟି ଟଙ୍କା ରହିଛି ।
ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନ ନିମନ୍ତେ ୪୨୮ କୋଟି, ବାତ୍ୟା ନିରୋଧୀ ଭିତିଭୂମି ପାଇଁ ୪୨୪୮ କୋଟି ତଥା ବିତରଣ ବ୍ୟବସ୍ଥାର ସୁଦୃଢ଼ୀକରଣ ସକାଶେ ୧୫୦୯ କୋଟିର ପ୍ରାବଧାନ ରହିଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ବିତରଣ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ।