ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପୁଣି କଡ ଲେଉଟାଇଲଣି କରୋନା। ଏହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦିନକୁ ଦିନ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନାହୁଁ । ତେଣୁ ଏନେଇ ରାଜ୍ୟ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟକୁ ପୁଣି ଫେରିଛି ମାସ୍କ ।
ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।ସୂଚନା ମୁତାବକ, ରାଜ୍ୟରେ କରୋନା ସଂକ୍ରମଣ ଗତ କିଛିଦିନ ଧରି ଉପରମୁହାଁ ହେବାରେ ଲାଗିଛି । ଏଣିକି ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ରହିଥିବା ସମସ୍ତ ବ୍ୟକ୍ତିବିଶେଷ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଚିଠି ଲେଖି ଅବଗତ କରାଯାଇଛି ।
ଚିକିତ୍ସାଳୟମାନଙ୍କରେ ଡ୍ୟୁଟି କରୁଥିବା ସମୟରେ କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏଥିସହିତ ବନ୍ଦ କୋଠରୀରେ ଯଦି ଏକାଧିକ ଲୋକ ରୁଣ୍ଡ ହୋଇଥିବେ ତେବେ ସେ କ୍ଷେତ୍ରରେ ସମସ୍ତେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ । ରାଜ୍ୟର ସମସ୍ତ କ୍ଲିନିକ ଓ ଲାବୋରେଟୋରୀମାନଙ୍କରେ କାର୍ଯ୍ୟରତ ଥିବା କର୍ମଚାରୀମାନେ ମାସ୍କ ପିନ୍ଧି ଡ୍ୟୁଟି କରିବେ । ଯେଉଁ ଲୋକମାନେ ଥଣ୍ଡା, ଜ୍ୱର ଓ କାଶରେ ପୀଡ଼ିତ ଥିବେ ସେମାନେ ବି ମାସ୍କ ପିନ୍ଧିବେ ।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଏପରି ସ୍ଥିତିରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।