ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ସବୁ ଲାଇଟ୍ କଟି ଯାଇଥିଲା । ଏପାଇଁ ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏହି ଘଟଣାକୁ ନେଇ କ୍ଷମା ମାଗିଛନ୍ତି କୁଳପତି। ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି ବୋଲି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି।ଏଥିସହ ସେ ଜଣାଇଛନ୍ତି ଯେ, ସମାରୋହ ଅନୁଷ୍ଠିତ ହେଉଥିବା ବିଲଡିଂ ଇଡକୋ ତିଆରି କରିଥିଲା। ଜେନେରେଟର ବି ସଜାଡ଼ିଥିଲା। ଡେଡିକେଟେଡ ଜେନେରେଟର ଥିଲା। ହେଲେ ସେଇଟା ବି ଠିକ୍ ଲାଇଟ୍ କଟିବା ସମୟରେ କାମ ଦେଲାନି। ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା।
ଦୁଃଖ ପ୍ରକାଶ କରି ସେ ଆହୁରି କହିଛନ୍ତି, ‘ମୁଁ ଦାୟିତ୍ୱ ମୁଣ୍ଡରୁ ଖସାଇବା ଲୋକ ନୁହେଁ, ମୁଁ କ୍ଷମାପ୍ରାର୍ଥନା କରୁଛି। ଏହି ତ୍ରୁଟି ସଂପର୍କରେ ନିଶ୍ଚିତ ଭାବେ ଅନୁସନ୍ଧାନ କରାଯିବ। ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ ହୋଇଛି। କମିଟି ରିପୋର୍ଟ ଦାଖଲ ପରେ କାର୍ଯ୍ୟାନୁଷ୍ଠାନ ହେବ।’
ସେହିପରି ଏହି ଘଟଣାର ତଦନ୍ତ କରାଯିବ କହିଲେ କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଦଳାଇ କହିଛନ୍ତି। ପ୍ରତିକ୍ରିୟାରେ ସେ ଜଣାଇଛନ୍ତି, ଏହି ଘଟଣା କାହିଁକି ଘଟିଲା ଓ ଏଥିପାଇଁ ଦାୟୀ କିଏ ତାହା ଅନୁସନ୍ଧାନ କରାଯିବ। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ସେପଟେ ଆର୍ଡିସି ସହ ବୈଠକ ପରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ କହିଛନ୍ତି, ଘଟଣାର ତଦନ୍ତ କରାଯିବ। ତେବେ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଘଟିଛି। ତେବେ ଏହି ଘଟଣାରେ ନିଜ ଉପରୁ ଦୋଷ ଝାଡ଼ି ଦେଇଛନ୍ତି ବିଦ୍ୟୁତ୍ ଯୋଗାଣ ସଂସ୍ଥା ଟାଟା ପାୱାର କର୍ତ୍ତୃପକ୍ଷ। ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀ ହରୀଶ କୁମାର ପଣ୍ଡା କହିଛନ୍ତି, ଆମ ଆଡୁ କିଛି ସମସ୍ୟା ନ ଥିଲା। ବିଦ୍ୟୁତ୍ ସେବା ପ୍ରଦାନରେ କୌଣସି ତ୍ରୁଟି ନ ହେବା ପାଇଁ ସବୁ ପଦକ୍ଷେପ ନେଇଥିଲୁ। ଆମ ଆଡୁ କିଛି ସମସ୍ୟା ନଥିଲା। ଇଣ୍ଟରନାଲ ୱେୟାରିଂରେ କୌଣସି ସଦସ୍ୟା ଯୋଗୁ ଲାଇଟ୍ କଟିଥିବା ସନ୍ଦେହ କରାଯାଉଛି। ତଥାପି ଏହି ଦୁର୍ଭାଗ୍ୟଜନକ ସ୍ଥିତି ଉପୁଜିବା ନେଇ ଅନୁସନ୍ଧାନ ହେବ।
ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କହାଯାଇଛି ଯେ, ଦିନ ୧୧ଟା ୫୬ରୁ ୧୨ଟା ୦୫ ପର୍ଯ୍ୟନ୍ତ ଲାଇଟ ଗୁଡ଼ିକ କଟି ଯାଇଥିଲା। ପୂରା ଅଡିଟୋରିୟମ ଅନ୍ଧାର ହୋଇଯାଇଥିଲା।ତେବେ ସବୁ ବିଭାଗ ତଦନ୍ତ ପରେ କାରଣ ଜଣାପଡିବ ବୋଲି କହୁଛନ୍ତି । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଏଠି ଦୋଷ କାହାର?